ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ପ୍ରଥମ ଥର ପାଇଁ ତୃତୀୟଲିଙ୍ଗୀ ସମୁଦାୟକୁ ସୁଯୋଗ

ଷ୍ଟେଟ୍ ଜେନେରାଲ୍ ସେକ୍ରେଟାରୀ ପ୍ରାର୍ଥୀ ହେଲେ ଆଇଶା ବେହେରା ।

0

ଗଜପତି:୧୭.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ୨୦୨୬ ନିର୍ବାଚନରେ ଏକ ଐତିହାସିକ ଓ ଉଲ୍ଲେଖନୀୟ ପଦକ୍ଷେପ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ତୃତୀୟଲିଙ୍ଗୀ ସମୁଦାୟର ଜଣେ ସମାଜସେବୀ ତଥା ସକ୍ରିୟ କର୍ମୀ ଆଇଶା ବେହେରାଙ୍କୁ ଷ୍ଟେଟ୍ ଜେନେରାଲ୍ ସେକ୍ରେଟାରୀ ପଦବୀ ପାଇଁ ପ୍ରାର୍ଥୀ ଭାବେ ସୁଯୋଗ ଦିଆଯାଇଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ମାନ୍ୟବର ଶ୍ରୀ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଯୁବ କଂଗ୍ରେସରେ ସମାଜର ସମସ୍ତ ବର୍ଗଙ୍କୁ ସାମିଲ କରିବା ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ଆଗକୁ ଆସିବାର ସୁଯୋଗ ଦେବା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।

ଆଇଶା ବେହେରା ଜଣେ ସମାଜସେବୀ ଓ ଅଧିକାର କର୍ମୀ ଭାବେ ଯୁବବର୍ଗ, ତୃତୀୟଲିଙ୍ଗୀ ସମୁଦାୟ ଏବଂ ସମାଜର ବିଭିନ୍ନ ବର୍ଗଙ୍କ ପାଇଁ କାର୍ଯ୍ୟ କରିଆସିଛନ୍ତି। ତାଙ୍କର ସାମାଜିକ କାର୍ଯ୍ୟ ଓ ସକ୍ରିୟ ଭୂମିକାକୁ ଦୃଷ୍ଟିରେ ରଖି ଯୁବ କଂଗ୍ରେସ ନିର୍ବାଚନରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରାର୍ଥୀ ହେବାର ସୁଯୋଗ ମିଳିଛି।

ଏହି ସୁଯୋଗ ପାଇଁ ଆଇଶା ବେହେରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏବଂ ମାନ୍ୟବର ଶ୍ରୀ ଭକ୍ତଚରଣ ଦାସଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

ତୃତୀୟଲିଙ୍ଗୀ ସମୁଦାୟର ଜଣେ ପ୍ରତିନିଧିଙ୍କୁ ରାଜ୍ୟସ୍ତରୀୟ ଯୁବ କଂଗ୍ରେସ ନେତୃତ୍ୱ ପାଇଁ ନିର୍ବାଚନୀ ପ୍ରତିଯୋଗିତାରେ ସୁଯୋଗ ମିଳିବା ସମାବେଶୀ ରାଜନୀତି ଓ ସାମାଜିକ ସମାନତା ଦିଗରେ ଏକ ଉଲ୍ଲେଖନୀୟ ଉଦାହରଣ। ଏହା ତୃତୀୟଲିଙ୍ଗୀ ସମୁଦାୟର ଯୁବପିଢ଼ିଙ୍କୁ ରାଜନୀତି ଓ ସାମାଜିକ ନେତୃତ୍ୱରେ ଆଗକୁ ବଢ଼ିବା ପାଇଁ ନୂତନ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ସୂଚନାଦାତା: ଜସ୍ମିନ୍ ଶେଖ୍
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ରାଜ୍ୟ ସମ୍ପାଦିକା।

Leave A Reply

Your email address will not be published.