ନଭେମ୍ବର ୧୮ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

0

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ହୋଇଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ। ନଭେମ୍ବର ୨୫, ୨୬ ଓ ୨୭ ତାରିଖରେ ଅତିରିକ୍ତ ବ୍ୟୟ ବାବଦ ଅନୁଦାନ ଦାବି ଉପରେ ଆଲୋଚନା ହେବ ଏବଂ ନଭେମ୍ବର ୩୦ରେ ବିନିଯୋଗ ବିଲ୍ ଆଗତ କରାଯିବ। ସେହିପରି ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ପାଇଁ ନଭେମ୍ବର ୨୦ ସହ ଡିସେମ୍ବର ୪, ୧୧, ୧୮, ୨୯ ଓ ୩୧ ତାରିଖ ଧାର୍ଯ୍ୟ ହୋଇଛି। ନଭେମ୍ବର ୨୪ରେ ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର ୨୫ରେ ବଡ଼ଦିନ ପାଇଁ ଗୃହ ବନ୍ଦ ରହିବ। ଚଳିତ ଅଧିବେଶନରେ ଧାନ ମଣ୍ଡି, କୋଟିଆ ପ୍ରସଙ୍ଗ, ମହାନଦୀ ଜଳ ବିବାଦ ଏବଂ ଖଣି ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଅଧିବେଶନକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ବିଧାନସଭା ଆଖପାଖରେ ଆବଶ୍ୟକୀୟ ଟ୍ରାଫିକ୍ କଟକଣା ଓ ରୁଟ୍ ଡାଇଭର୍ସନ୍ ଜାରି କରାଯାଇଛି।

Leave A Reply

Your email address will not be published.