ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ ପାଳିତ ।

ଗଜପତି,୧୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନଭେମ୍ବର ୧୪ ତାରିଖ ଦିନ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟ ରାମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ପରିଚାଳନା କମିଟିର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଜେନା, ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ଦିବସର ମହତ୍ତ୍ୱ ଓ ଶିଶୁମାନଙ୍କ ଜୀବନରେ ଶିକ୍ଷା, ସଂସ୍କାର ଓ ନୈତିକ ମୂଲ୍ୟବୋଧର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁମାନଙ୍କର ପ୍ରିୟ ଚାଚା ନେହେରୁ ଭାବେ ପରିଚିତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ, ଆଦର୍ଶ ଓ ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ଓ ଭଲପାଇବା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏହି ଦିବସର ଅନ୍ୟତମ ଆକର୍ଷଣ ଥିଲା ବିଦ୍ୟାଳୟରେ ନବନିର୍ମିତ ଏକ ଅତ୍ୟାଧୁନିକ ବିଜ୍ଞାନାଗାରର ଶୁଭ ଉଦ୍‌ଘାଟନ। ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମ୍ପନ୍ନ ସ୍ମାର୍ଟ ବୋର୍ଡ ସହିତ ସଜ୍ଜିତ ଏହି ସ୍ୱତନ୍ତ୍ର ବିଜ୍ଞାନାଗାରକୁ ପରିଚାଳନା କମିଟିର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ଜମାଦାର ଉଦ୍‌ଘାଟନ କରିଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଆଧୁନିକ ଜ୍ଞାନକୌଶଳର ସହାୟତାରେ ବିଜ୍ଞାନ ଶିକ୍ଷାକୁ ଅଧିକ ସହଜ, ସରଳ ଓ ଆକର୍ଷଣୀୟ ଭାବେ ଆହରଣ କରିବାର ସୁଯୋଗ ପାଇପାରିବେ।ଶିଶୁ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କୌତୁକପୂର୍ଣ୍ଣ ଓ ଆନନ୍ଦଦାୟକ ଖେଳକୁଦର ଆୟୋଜନ କରାଯାଇଥିଲା। ଏଥିରେ ଶିଶୁମାନେ ଉତ୍ସାହର ସହ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା, ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Comments are closed.