ନବରଙ୍ଗପୁର ଜିଲ୍ଲାରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ :ଜିଲ୍ଲାର ୫,୮୭୫ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ

ପେନସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସରଳତା ଓ ତ୍ୱରିତ ସେବା ପ୍ରଦାନ ଦିଗରେ ନୂତନ ପଦକ୍ଷେପ: ଗୌରି ଶଙ୍କର ମାଝୀ

0

ନବରଙ୍ଗପୁର, ତାରିଖ: ୧୨.୧୧.୨୦୨୬(ଶେଖର ଖୁରା ) ପେନସନ ସେବାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ ଓ ତ୍ୱରିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଶୁଭାରମ୍ଭ ହୋଇଥିବା ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମାନ୍ୟବର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ଚନ୍ଦ୍ର ବର୍ମନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଳୟ କୁମାର ପ୍ରଧାନ ଏବଂ ସାଂସଦ ପ୍ରତିନିଧି ଶ୍ରୀ ଜୟତିରଞ୍ଜନ କଂସ ପ୍ରମୁଖ ଯୋଗଦେଇ ପେନସନଭୋଗୀଙ୍କ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ, ସରକାରୀ ସେବାରେ ସ୍ୱଚ୍ଛତା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ପେନସନ ପ୍ରଦାନର ଗୁରୁତ୍ୱ ଉପରେ ଆଲୋକପାତ କରି ପେନସନଭୋଗୀଙ୍କୁ ଉନ୍ନତ ଓ ସୁବିଧାଜନକ ସେବା ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଥିଲେ।

ସୂଚନାଯୋଗ୍ୟକି, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫,୮୭୫ ଜଣ ହିତାଧିକାରୀଙ୍କୁ ପେନସନ ବ୍ୟବସ୍ଥାରେ ସାମିଲ କରାଯାଇ ପେନସନ ପ୍ରଦାନ କରାଯାଇଛି। ପ୍ରତ୍ୟକ ବ୍ଲକ ସ୍ତରରେ ସ୍ଵତନ୍ତ୍ର କ୍ୟାମ୍ପ ଆୟୋଜନ କରି ଏହି ପୋର୍ଟାଲ ମାଧ୍ୟମରେ ପେନସନ ସମ୍ବନ୍ଧୀୟ ସେବାକୁ ଅଧିକ ସୁବ୍ୟବସ୍ଥିତ ଓ ସହଜଲଭ୍ୟ କରିବା ସହ ହିତାଧିକାରୀମାନଙ୍କୁ ସୁବିଧାଜନକ ଭାବେ ସେବା ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ସମ୍ପର୍କିତ ଏକ ସଚେତନତାମୂଳକ ଦୃଶ୍ୟଶ୍ରାବ୍ୟ ଚିତ୍ର ପ୍ରଦର୍ଶନ ସହ ଅତିଥିମାନଙ୍କ ଦ୍ଵାରା ହିତାଧିକାରୀମାନଙ୍କୁ ପେନସନ ପ୍ରଦାନ କରାଯାଇଥିଲା । ଏଥିସହ ସମସ୍ତେ ପେନସନ ସମ୍ପର୍କିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିଭ୍ରମଣ କରି ଜନସାଧାରଣଙ୍କୁ ପେନସନ ସମ୍ବନ୍ଧୀୟ ସେବା ଓ ସୁବିଧା ବିଷୟରେ ସଚେତନ କରିବ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦମୟନ୍ତୀ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲାର ଶତାଧିକ ପେନସନ ହିତାଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.