ବାଲେଶ୍ୱର ବଜାରକୁ ଆସିଲା ୟାମାହାର ନୂଆ R-2 ବାଇକ୍

•ସାଇ ଅନନ୍ତ ଅଟୋମୋବାଇଲ୍ସରେ ଅନୁଷ୍ଠିତ ହେଲା ଆକର୍ଷଣୀୟ ଉନ୍ମୋଚନ ଉତ୍ସବ; ଆଧୁନିକ ଫିଚର୍ ସହ ଚାରିଟି ରଙ୍ଗରେ ଉପଲବ୍ଧ

0

ବାଲେଶ୍ୱର, ୧୨ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): ଦେଶର ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ୟାମାହା ପକ୍ଷରୁ ପ୍ରସ୍ତୁତ ନୂତନ YZF R-2 ବାଇକ୍ ପ୍ରଥମ ଥର ପାଇଁ ବାଲେଶ୍ୱର ବଜାରରେ ପ୍ରବେଶ କରିଛି। ଏହି ଉପଲକ୍ଷେ କମ୍ପାନୀର ଅଧିକୃତ ବିକ୍ରେତା ସାଇ ଅନନ୍ତ ଅଟୋମୋବାଇଲ୍ସ ପକ୍ଷରୁ ନଭେମ୍ବର ୧୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ୟାମାହା ଶୋରୁମ୍‌ରେ ଏକ ଆକର୍ଷଣୀୟ ବଜାର ପ୍ରବେଶ ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଉତ୍ସବରେ ବାଲେଶ୍ୱରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଜ୍ୟୋତି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ବାଇକ୍‌ର ଆନୁଷ୍ଠାନିକ ଉନ୍ମୋଚନ କରିଥିଲେ। ଏହି ବାଇକ୍ ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଦୃତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ଏଥିସହ ବାଇକ୍ ଚାଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ଓ ଦାୟିତ୍ୱବାନ ଭାବେ ଯାନ ଚଳାଇବା ପାଇଁ ସେ ପରାମର୍ଶ ଦେଇଥିଲେ।

ଉତ୍ସବରେ ଇଣ୍ଡିଆ ୟାମାହା ମୋଟର୍ସର ପୂର୍ବାଞ୍ଚଳ ଜୋନାଲ୍ ମୁଖ୍ୟ ଶୁଭାଶିଷ ମହାନ୍ତି ଏବଂ କମ୍ପାନୀର ଏରିଆ ସେଲ୍ସ ମ୍ୟାନେଜର ଶୁଭ୍ରଜିତ୍ ସ୍ୱାଇଁ ଯୋଗଦେଇ ସାଇ ଅନନ୍ତ ଅଟୋମୋବାଇଲ୍ସର ଉତ୍ତରୋତ୍ତର ସଫଳତା କାମନା କରିଥିଲେ।

ସାଇ ଅନନ୍ତ ଅଟୋମୋବାଇଲ୍ସର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ, ୟାମାହାର ବାଇକ୍ ସବୁବେଳେ ଗ୍ରାହକଙ୍କ ପସନ୍ଦର ଯାନ ହୋଇ ରହିଆସିଛି। ପ୍ରତି ଲିଟର ଇନ୍ଧନରେ ପ୍ରାୟ ୪୦ କିଲୋମିଟର ମାଇଲେଜ୍ ଦେବାକୁ ସକ୍ଷମ ଏହି ନୂତନ R-2 ବାଇକ୍ ବଜାରରେ ବିଶେଷ ଆକର୍ଷଣ ସୃଷ୍ଟି କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି ବାଇକ୍‌ରେ ଫୁଏଲ୍ ଇଞ୍ଜେକ୍ସନ୍ (FI) ଇଞ୍ଜିନ୍, TFT ଡିସ୍‌ପ୍ଲେ, ABS ବ୍ରେକିଂ ସିଷ୍ଟମ୍, ମୋନୋ ସସ୍‌ପେନସନ୍ ଓ ଆରାମଦାୟକ ସିଟ୍ ଭଳି ଅନେକ ଆଧୁନିକ ସୁବିଧା ରହିଛି। ଏହି ବୈଶିଷ୍ଟ୍ୟଗୁଡ଼ିକ ଚାଳକଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଥିଲେ। ବାଇକ୍‌ଟି ଧଳା, ନୀଳ, କଳା ଓ ସିଲଭର୍ ଭଳି ଚାରୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି।

ଏହି ଅବସରରେ ସାଇ ଅନନ୍ତ ଅଟୋମୋବାଇଲ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ମହାନ୍ତି ନୂତନ ବାଇକ୍‌ର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇଥିଲେ। ପରେ ନୂତନ ବାଇକ୍ କ୍ରୟ କରିଥିବା ଗ୍ରାହକମାନଙ୍କୁ ଅତିଥିମାନେ ଚାବି ହସ୍ତାନ୍ତର କରିଥିଲେ। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ସାଇ ଅନନ୍ତ ଅଟୋମୋବାଇଲ୍ସର ସମସ୍ତ କର୍ମଚାରୀ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.