ବାଲେଶ୍ୱର, ୪/୧୧ (କୃଷ୍ଣ କୁମାର ମହାନ୍ତି): ମାଣ୍ଡିଆ ଚାଷର ପ୍ରସାର, ପାରମ୍ପରିକ ବିହନର ସଂରକ୍ଷଣ ଏବଂ କୃଷି ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ଏକ ସହନଶୀଳ ଓ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ କିଷାନ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ବାଲେଶ୍ୱର ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
‘କ୍ଷେତ ବଞ୍ଚାଅ ଅଭିଯାନ’ର ସହଯୋଗରେ ଆୟୋଜିତ ଏହି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇ ମାଣ୍ଡିଆ ଚାଷ ଓ ଆଧୁନିକ କୃଷି ପଦ୍ଧତିର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହୋଇଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ଚାଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମାଣ୍ଡିଆ କେବଳ ଏକ ପାରମ୍ପରିକ ଶସ୍ୟ ନୁହେଁ, ଏହାର ପୁଷ୍ଟିକର ଗୁଣ ଓ ସ୍ୱାସ୍ଥ୍ୟ ଉପଯୋଗିତା ଦୃଷ୍ଟିରୁ ଦୈନନ୍ଦିନ ଖାଦ୍ୟରେ ଏହାର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ଜିଲ୍ଲା ପରିଷଦ ଉପସଭାପତି ଅନୁସୂୟା ପ୍ରଧାନ ଯୋଗ ଦେଇଥିଲେ। ମାଣ୍ଡିଆ ଭଳି ପାରମ୍ପରିକ ଶସ୍ୟର ଚାଷ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଚାଷୀମାନଙ୍କୁ ଉତ୍ପାଦନ ବୃଦ୍ଧି ଏବଂ ବଜାର ସୁଯୋଗ ସହ ଯୋଡ଼ିବାର ଆବଶ୍ୟକତା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା।
ଚାଷୀମାନଙ୍କ ବ୍ୟାପକ ଯୋଗଦାନ ମେଳାକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା। କୃଷି କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥାର ବିକାଶ ଏବଂ କୃଷି ଜୈବ ବିବିଧତାର ସୁରକ୍ଷା ଉପରେ ମଧ୍ୟ ଏହି ଆୟୋଜନ ବିଶେଷ ଗୁରୁତ୍ୱାରୋପ କରିଥିଲା। ଶେଷରେ ସହକାରୀ କୃଷି ନିର୍ଦ୍ଦେଶକ ଅଜିତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.