ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

0

କୋରାପୁଟ: ପୁଣି ତେଜିଲା କୋଟିଆ ସୀମା ବିବାଦ। ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ମାଟିରେ ପ୍ରବେଶ କରିବାକୁ ଆନ୍ଧ୍ର ପୁଲିସ ଓ ସମର୍ଥକଙ୍କ ଉଦ୍ୟମକୁ ରୋକିଛି ଓଡ଼ିଶା ପ୍ରଶାସନ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ଓ ମାରପିଟ୍‌ ହୋଇଛି। ଏପରିକି ସୀମା ଛାଡ଼ି ଫେରିବା ସମୟରେ ଆନ୍ଧ୍ର ସମର୍ଥକମାନେ ଓଡ଼ିଶା ପୁଲିସ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ସକାଳେ ନେରେଡ଼ିୱାଲସା ସୀମାରେ ଗୋଟିଏ ଅଟୋ ଓ ଦୁଇଟି ବାଇକ୍‌ରେ ଆନ୍ଧ୍ର ପକ୍ଷରୁ ପ୍ରଚାର କରାଯାଉଥିଲା। ଏହି ସମୟରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଓଡ଼ିଶା ସୀମା ଭିତରକୁ ନ ପଶିବାକୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ପରିସ୍ଥିତି ଧୀରେଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ଖବର ପାଇ ଆନ୍ଧ୍ର ପୁଲିସ ଓ ସମର୍ଥକମାନେ ସୀମାରେ ପହଞ୍ଚି ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ଉପଜିଲ୍ଲାପାଳ ଓ ଉପସ୍ଥିତ ଓଡ଼ିଶା ପୁଲିସ ତୀବ୍ର ବିରୋଧ କରିଥିଲେ। ଓଡ଼ିଶା ସୀମାରେ ଅନଧିକାର ପ୍ରବେଶ କରିବାକୁ ଆନ୍ଧ୍ରର କୌଣସି ଅଧିକାର ନାହିଁ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।

ଘଟଣାର ଖବର ପ୍ରଚାର ହେବା ପରେ ଅପରାହ୍ଣରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ବିଜେପିର ଏକ ପ୍ରତିନିଧି ଦଳ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ନେରେଡ଼ିୱାଲସାରେ ପହଞ୍ଚିଥିଲେ। ସେମାନେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମକୁ ଜୋରଦାର ବିରୋଧ କରିଥିଲେ।

ସନ୍ଧ୍ୟା ପ୍ରାୟ ୫ଟାରେ ଓଡ଼ିଶା ପକ୍ଷର ଶହ ଶହ ସମର୍ଥକ ସୀମାରେ ପହଞ୍ଚି ‘ଆନ୍ଧ୍ର ଗୋ ବ୍ୟାକ୍‌’ ନାରା ଦେଇଥିଲେ। ଏହାପରେ ଆନ୍ଧ୍ର ପୁଲିସ ଓ ସମର୍ଥକମାନେ ସୀମା ଛାଡ଼ି ଫେରିଯାଇଥିଲେ। ତେବେ ଫେରିବା ସମୟରେ ଲଙ୍କାଗୁଣ୍ଡ ଫିଙ୍ଗା ଘଟଣା ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଥିଲା।

Leave A Reply

Your email address will not be published.