୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

0

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉକୁ ନେଇ ଚର୍ଚ୍ଚା। କଲିକତାର ଏକ ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଉଥିବା ଈଶ୍ୱର ବିନ୍ଧାଣୀଙ୍କ ଘରେ ଚାଲିଛି ତନାଘନା। ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ ୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗକୁ ନେଇ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବୁଧବାର ସକାଳୁ ଇଡିର ତିନି ଜଣିଆ ଟିମ୍‌ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ପୁଲିସ ସହାୟତାରେ ବିଶୋଳ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉ ସମୟରେ ଈଶ୍ୱର ବିନ୍ଧାଣୀ ନିଜେ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି। ତାଙ୍କ ଘରେ ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ଈଶ୍ୱର ବିନ୍ଧାଣୀ କଲିକତାର ଏକ ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟ ଭାବେ ପରିଚୟ ଦେଇ ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ମୟୂରଭଞ୍ଜ ସମେତ କଟକ, ଭୁବନେଶ୍ୱର ଓ ଜଗତସିଂହପୁର ଅଞ୍ଚଳର ଅନେକ ଲୋକ ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଠକେଇର ପରିମାଣ ୭୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି।

ଏହି ଆର୍ଥିକ କାରବାରକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିବା ସୂଚନା ରହିଛି। ଏବେ ଇଡିର ଚଢ଼ାଉ ପରେ ଘଟଣାଟି ନୂଆ ମୋଡ଼ ନେଇଛି। ଟଙ୍କା କେଉଁଠାରୁ ଆସିଥିଲା, କେଉଁ କେଉଁ ଆକାଉଣ୍ଟକୁ ଯାଇଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେସବୁ ଦିଗରେ ତଦନ୍ତ ହେବା ସମ୍ଭାବନା ରହିଛି।

ବର୍ତ୍ତମାନ ବିଶୋଳ ଗ୍ରାମରେ ଇଡିର ଚଢ଼ାଉ ଜାରି ରହିଛି। ତଦନ୍ତ ପରେ ଆର୍ଥିକ କାରବାର ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।

Leave A Reply

Your email address will not be published.