ଭୁବନେଶ୍ୱର, ୩ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ଛାତ୍ରୀନିବାସର କେତେକ ଛାତ୍ରୀ ଅସୁସ୍ଥ ହେବା ଏବଂ କିଛି ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାକୁ ଗୁରୁତ୍ୱର ସହ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ତ୍ୱରିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।
ପର୍ବପର୍ବାଣୀ ଛୁଟି ପରେ ଛାତ୍ରୀନିବାସରେ ଅସୁସ୍ଥତା ସମ୍ପର୍କିତ ଖବର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଛାତ୍ରୀମାନଙ୍କ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିରନ୍ତର ଯୋଗାଯୋଗରେ ରହିଛନ୍ତି।
ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଛାତ୍ରୀନିବାସରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ, ଔଷଧ କେନ୍ଦ୍ର ଓ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି। ଏଥିସହ ୧,୦୦୦ ଲିଟର ପାନୀୟ ଜଳ ଯୋଗାଇ ଦିଆଯାଇଛି। ଛାତ୍ରୀମାନଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ସହରାଞ୍ଚଳ ନିରୀକ୍ଷଣ ୟୁନିଟ୍ର ଏକ ସ୍ୱତନ୍ତ୍ର ଦଳ ଛାତ୍ରୀନିବାସ ପରିଦର୍ଶନ କରିଛି। ଏହି ଦଳରେ ସହରାଞ୍ଚଳ ମହାମାରୀ ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଓ ଯୋଗାଯୋଗ ବିଶେଷଜ୍ଞ ସାମିଲ ଥିଲେ। ଦଳ ପକ୍ଷରୁ ପରୀକ୍ଷା ପାଇଁ ପାଣି ଓ ରକ୍ତ ନମୁନା ସଂଗ୍ରହ କରାଯାଇଛି।
ଏଥିସହ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସକ୍ରିୟ ନିରୀକ୍ଷଣ କରାଯିବା ସହ ହାତ ସଫା ରଖିବା, ସୁରକ୍ଷିତ ପାନୀୟ ଜଳ ବ୍ୟବହାର, ଖାଦ୍ୟର ପରିଚ୍ଛନ୍ନତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଛି। ଅସୁସ୍ଥତାର ଲକ୍ଷଣ ବୃଦ୍ଧି ପାଇଲେ ତୁରନ୍ତ ଚିକିତ୍ସା ସହାୟତା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ବିଶ୍ୱବିଦ୍ୟାଳୟ ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ସମଗ୍ର ସ୍ଥିତି ଉପରେ ନିରନ୍ତର ନଜର ରଖିଛି।