ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ନୈତିକ ଶାସନ ବ୍ୟବସ୍ଥା ପ୍ରତି ନିଜର  ପ୍ରତିବଦ୍ଧତା ଦୋହରାଇଲା ଟିପିଏନ୍‌ଓଡିଏଲ୍‌

0
ବାଲେଶ୍ୱର, ୨ ନଭେମ୍ବର ୨୦୨୬ (କୃଷ୍ଣ କୁମାର ମହାନ୍ତି): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ‘ସମୃଦ୍ଧି ପାଇଁ ସାଧୁତା’ (Probity for Prosperity) ବିଷୟବସ୍ତୁକୁ ଆଧାର କରି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ପାଳିତ ହୋଇଯାଇଛି। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନୈତିକ ମୂଲ୍ୟବୋଧ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସଚ୍ଚୋଟତା ଆଧାରିତ କାର୍ଯ୍ୟସଂସ୍କୃତିକୁ ଅଧିକ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ନଭେମ୍ବର ୨ ତାରିଖରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ବାଣିଜ୍ୟିକ ଓ ବ୍ୟବସାୟିକ ଉତ୍କର୍ଷ ବିଭାଗ ମୁଖ୍ୟ ଶ୍ରୀ ଶୁଭଦୀପ ରାୟଚୌଧୁରୀ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ମୁଖ୍ୟ ଶ୍ରୀ ରମେନ୍ଦ୍ର ବାନିକ, ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଶ୍ରୀ ସନ୍ତୋଷ ସାମନ୍ତରା, ଦୁର୍ନୀତି ନିବାରଣ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ହରିଶ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ତ୍ୟାଗୀ ଦୈନନ୍ଦିନ କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସଚ୍ଚୋଟତା ଏବଂ ନୈତିକ ଆଚରଣକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ, କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ଏକ ଅନୁଷ୍ଠାନର ବିଶ୍ୱସନୀୟତା ବୃଦ୍ଧି କରିବା ସହ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।
ଦୁର୍ନୀତି ନିବାରଣ ସମ୍ପର୍କରେ କର୍ମଚାରୀମାନଙ୍କୁ ସଚେତନ କରିବା, ନୈତିକ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ସପ୍ତାହବ୍ୟାପୀ ବିଭିନ୍ନ ସଚେତନତା ଓ କର୍ମଚାରୀ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଅନୈତିକ ଆଚରଣ ଓ ଅନିୟମିତତାକୁ ଚିହ୍ନଟ କରିବା, କ୍ରୟ ଓ ପ୍ରଶାସନିକ ପ୍ରକ୍ରିୟାରେ ନିର୍ଦ୍ଧାରିତ ନିୟମ ପାଳନ କରିବା ଏବଂ କୌଣସି ସନ୍ଦେହଜନକ ଅନିୟମିତତା ଦୃଷ୍ଟିକୁ ଆସିଲେ ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗ ଜଣାଇବା ସମ୍ପର୍କରେ କର୍ମଚାରୀମାନଙ୍କୁ ସଚେତନ କରାଯାଇଥିଲା।
ଟିପିଏନ୍‌ଓଡିଏଲ୍‌ ପାଇଁ ଦୁର୍ନୀତି ନିବାରଣ ଓ ସତର୍କତା କେବଳ ଏକ ବାର୍ଷିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ସୁଶାସନ ଓ ଦୀର୍ଘସ୍ଥାୟୀ ଅନୁଷ୍ଠାନିକ ଉନ୍ନତିର ଏକ ଅଭିନ୍ନ ଅଙ୍ଗ ଅଟେ। ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ନୈତିକତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଧାରିତ କାର୍ଯ୍ୟସଂସ୍କୃତିକୁ ଅଧିକ ସୁଦୃଢ଼ କରିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଉପଭୋକ୍ତାମାନଙ୍କୁ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ଉପଭୋକ୍ତାକୈନ୍ଦ୍ରିକ ବିଦ୍ୟୁତ୍ ସେବା ଯୋଗାଇଦେବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।
Leave A Reply

Your email address will not be published.