ଭୁବନେଶ୍ୱର: ଓଡ଼ିଶା ଏବେ କେବଳ ଖଣିଜ ସମ୍ପଦର ଗନ୍ତାଘର ହୋଇ ରହିନାହିଁ, ବରଂ ନିଜର ଶିଳ୍ପ ରୂପରେଖରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି। ରାଜ୍ୟ ଏବେ ଖଣିଭିତ୍ତିକ ଅର୍ଥନୀତିରୁ ବାହାରି ଏକ ସମୃଦ୍ଧ କେମିକାଲ୍ ଏବଂ ପେଟ୍ରୋକେମିକାଲ୍ ଅର୍ଥନୀତି ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାର୍ର କେମିକାଲ୍ ଅର୍ଥନୀତି ଲକ୍ଷ୍ୟକୁ ସାକାର କରିବାରେ ଓଡ଼ିଶା ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରିବ। ମୁମ୍ବଇସ୍ଥିତ ‘ବମ୍ବେ ଏକ୍ସିବିସନ୍ ସେଣ୍ଟର୍’ଠାରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆଭିମୁଖ୍ୟ ଓ ରୂପାନ୍ତରଣର ବାର୍ତ୍ତା ରଖିଛନ୍ତି। ନିବେଶକାରୀ ଓ ଶିଳ୍ପପତିମାନଙ୍କୁ ରାଜ୍ୟର ସୁଯୋଗର ଫାଇଦା ଉଠାଇବାକୁ ନିମନ୍ତ୍ରଣ କରିବା ସହ ସମୃଦ୍ଧ ଓଡ଼ିଶା ଗଠନର ଅଂଶୀଦାର ହେବାକୁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଓଡ଼ିଶାର ରଣନୈତିକ ସୁବିଧାଗୁଡ଼ିକୁ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ପାରାଦ୍ବୀପ, ଗୋପାଳପୁର ଏବଂ ଧାମରା ବନ୍ଦର ଭଳି ବିଶ୍ୱସ୍ତରୀୟ ଭିତ୍ତିଭୂମି ଆଭ୍ୟନ୍ତରୀଣ ଏବଂ ଆନ୍ତର୍ଜାତିକ ବଜାର ମଧ୍ୟରେ ଯୋଗାଯୋଗର ଏକ ଦୃଢ଼ ମାଧ୍ୟମ ପାଲଟିଛି। ବିଶେଷକରି, ପାରାଦ୍ବୀପରେ ଥିବା ପେଟ୍ରୋଲିୟମ୍, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ, ଇଣ୍ଡିଆନ୍ ଅଏଲ୍ର ରିଫାଇନାରୀ ଓ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପାରାଦ୍ବୀପ ପ୍ଲାଷ୍ଟିକ୍ ପାର୍କ ଯୋଗୁଁ ଏବେ ରାଜ୍ୟରେ ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ସ କ୍ଷେତ୍ରରେ ବିପୁଳ ଡାଉନ୍ଷ୍ଟ୍ରିମ୍ ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ସେ ମତ ଦେଇଥିଲେ।
ପରିବେଶ ଅନୁକୂଳ ଶିଳ୍ପାୟନ ତଥା ଭବିଷ୍ୟତର ଜ୍ଞାନକୌଶଳ ଉପରେ ରାଜ୍ୟ ଦେଉଥିବା ଗୁରୁତ୍ୱ ସମ୍ପର୍କରେ ଶ୍ରୀ ମାଝୀ ସୂଚନା ଦେଇଥିଲେ। ଗୋପାଳପୁରଠାରେ ରେଫ୍ରିଜରେଣ୍ଟସ୍, ଫ୍ଲୋରୋକେମିକାଲ୍ସ, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି, ତାଳଚେର ଏବଂ ଲଖନପୁରରେ କୋଇଲା ବାଷ୍ପୀକରଣ ଭିତ୍ତିକ ପ୍ରକଳ୍ପ ଆଗେଇ ଚାଲିଛି। ଏହି ସବୁ ବିକାଶମୂଳକ ପଦକ୍ଷେପ ଆଭ୍ୟନ୍ତରୀଣ ଉତ୍ପାଦନକୁ ଦୃଢ଼ କରିବା ସହ ଦେଶର କେମିକାଲ୍ ଓ ପେଟ୍ରୋକେମିକାଲ୍ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ସ୍ଥିତିକୁ ସମ୍ପ୍ରସାରିତ କରିବ। ଓଡ଼ିଶାରେ ଔଦ୍ୟୋଗିକ ବିକାଶର ଚିତ୍ର ରଖି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ଗତ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶରେ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ସର୍ବମୋଟ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ପ୍ରସ୍ତାବ ମିଳିସାରିଛି ଏବଂ ଏଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବକୁ ହାଇ-ଲେଭେଲ୍ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିସାରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୦୨୬ରେ ୟୁଏଇଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀର ସଫଳତାକୁ ମଧ୍ୟ ଉଲ୍ଲେଖ କରିଥିଲେ। ଉକ୍ତ ସମ୍ମିଳନୀରୁ ରାଜ୍ୟକୁ ପ୍ରାୟ ୨.୫ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା, ଯେଉଁଥିରେ କେବଳ ଆନ୍ତର୍ଜାତିକ ହୋଲ୍ଡିଂ କମ୍ପାନୀ ପକ୍ଷରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ସାମିଲ ଥିଲା। ଏହି ନିବେଶଗୁଡ଼ିକ ମଧ୍ୟରୁ ଅଧିକାଂଶ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହିତ ଜଡ଼ିତ ରହିଛି।
ରାଜ୍ୟର ଶିଳ୍ପ-ଅନୁକୂଳ ପରିବେଶକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସ୍ୱତନ୍ତ୍ର ଶିଳ୍ପ ନୀତି, ନିରବଚ୍ଛିନ୍ନ ଭିତ୍ତିଭୂମି ଏବଂ ଦକ୍ଷ ଶ୍ରମଶକ୍ତି ନିବେଶକଙ୍କ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ଏହାବ୍ୟତୀତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଭଳି ଅନୁଷ୍ଠାନ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ଆବଶ୍ୟକ ଗବେଷଣା ଓ ବୈଷୟିକ ସହଯୋଗ ଯୋଗାଇ ଦେଉଛନ୍ତି।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ‘ଫିକି’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭର ଉଦ୍ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁମ୍ବଇ ଇଣ୍ଡିଆ କେମ୍-୨୦୨୬ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ଗ୍ଲୋବାଲ୍ ସିଇଓ ଫୋରମ୍’ରେ ସହ-ଅଧ୍ୟକ୍ଷତା କରିଥିଲେ।