ଟିଭି କେବୁଲ୍‌ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ

0

ପୁରୀ: ପୁରୀ ସହରର ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ବିଦ୍ୟୁତ୍‌ ଆଘାତରେ ଦୁଇ ଜଣ କେବୁଲ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବାପି ପ୍ରଧାନ ଓ ସୁବ୍ରତ ସାହୁ। ଉଭୟ ବଳିଆପଣ୍ଡା ଅଞ୍ଚଳର ବାସିନ୍ଦା ଏବଂ ଏକ ଟିଭି କେବୁଲ୍‌ ଅପରେଟର ସଂସ୍ଥାରେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ରବିବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ବାପି ଓ ସୁବ୍ରତ ବଳିଆପଣ୍ଡା ଅଞ୍ଚଳରେ ଟିଭି କେବୁଲ୍‌ ମରାମତି କାମ କରୁଥିଲେ। ଏହି ସମୟରେ ଉଭୟ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଅଚାନକ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଦୁହେଁ ଗୁରୁତର ବିଦ୍ୟୁତ୍‌ ଆଘାତ ପାଇ ଖୁଣ୍ଟ ଉପରୁ ତଳକୁ ଖସି ପଡ଼ିଥିଲେ।

ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ବାପି ଓ ସୁବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ବଳିଆପଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚିଥିଲା। ପୁଲିସ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ, ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ବଳିଆପଣ୍ଡା ଅଞ୍ଚଳର ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଧାରଣା ଦେଇଛନ୍ତି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୁଲିସର ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Leave A Reply

Your email address will not be published.