ଗଜପତି, ୧୬.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ଗାରାବନ୍ଧ ରାସ୍ତାର ବିଦ୍ୟୁତ୍ ସବ୍ଷ୍ଟେସନ୍ ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଉକ୍ତ ସ୍ଥାନରେ ପାଣି ଜମି ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ସେଠାରେ ରାସ୍ତା କଡ଼ରେ ନାଳ ନିର୍ମାଣ ହୋଇନଥିବାରୁ ବର୍ଷା ଜଳ ଜମି ରାସ୍ତା ଧୋଇ ଯାଇଛି। ଅପରପକ୍ଷରେ ଏହି ସ୍ଥାନଟି ଏକ ତୀକ୍ଷ୍ଣ ବୁଲାଣି ହୋଇଥିବା କାରଣରୁ ବିପରୀତ ଦିଗରୁ ଆସୁଥିବା ଗାଡି ଗୁଡ଼ିକ ସହଜରେ ଦୃଶ୍ୟମାନ ହୁଏ ନାହିଁ। ଏଣୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଏଣୁ ଏହି ସ୍ଥାନରେ ତୁରନ୍ତ ରାସ୍ତା ମରାମତି ସହିତ ଜଳ ନିଷ୍କାସନ ଏବଂ ରାସ୍ତା ଉପରକୁ ମାଡ଼ି ଆସିଥିବା ଗଛକୁ କାଟିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।ଏହି ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଚାଳକ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ସହ ଆବଶ୍ୟକ ମରାମତି କରିବା, ସତର୍କ ସୂଚନା ଫଳକ ଲଗାଇବା ଏବଂ ଉପଯୁକ୍ତ ସଡ଼କ ସୁରକ୍ଷା ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି।କୌଣସି ବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଏବେ ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।
Sign in
Sign in
Recover your password.
A password will be e-mailed to you.