ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ଏକ ବୃହତ ଆବାସିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଆନୁଷ୍ଠାନିକ ଭାବରେ ଲୋକଭବନ ପରିସରରେ ୧୪୪ଟି ନୂତନ ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ନୂତନ ପ୍ରକଳ୍ପ ଦ୍ୱାରା ଦୀର୍ଘଦିନରୁ ଲାଗିରହିଥିବା ଆବାସିକ ସମସ୍ୟାର ସମାଧାନ ହେବା ସହିତ କର୍ମଚାରୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଏହା ସହିତ ଏକ ଉନ୍ନତ ଓ ଅନୁକୂଳ କାର୍ଯ୍ୟ ପରିବେଶ ସୃଷ୍ଟି ହୋଇ ପ୍ରଶାସନିକ କାର୍ଯ୍ୟର ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।
ଏହି ସାମ୍ପ୍ରତିକ ପ୍ରକଳ୍ପ ଅନ୍ତର୍ଗତ ମୋଟ ଛଅଟି ବ୍ଲକ୍ରେ ଏହି କ୍ୱାର୍ଟର୍ସଗୁଡ଼ିକ ନିର୍ମାଣ କରାଯିବ। ଏହାର ଯୋଜନା ଅନୁଯାୟୀ, ଚାରୋଟି ବ୍ଲକ୍ରେ ୯୬ଟି ‘ଇ-ଟାଇପ୍’ କ୍ୱାର୍ଟର୍ସ ଏବଂ ଅନ୍ୟ ଦୁଇଟି ବ୍ଲକ୍ରେ ୪୮ଟି ‘ଏଫ୍-ଟାଇପ୍’ କ୍ୱାର୍ଟର୍ସ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ଢାଞ୍ଚାରେ ତିଆରି ହେବାକୁଥିବା ଷ୍ଟିଲ୍ଟ୍ ସମେତ ଏହି ୬ମହଲା ବିଶିଷ୍ଟ ଆବାସିକ କୋଠାଗୁଡ଼ିକର ସମସ୍ତ ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣକି’ ଭିତ୍ତିଭୂମିରେ ସମ୍ପାଦିତ ହେବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଆସନ୍ତା ୨୦୨୮ ମସିହା ମେ’ ମାସ ସୁଦ୍ଧା ଏହି ସମସ୍ତ କ୍ୱାର୍ଟର୍ସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିପ୍ରସ୍ତର ସ୍ଥାପନୋତ୍ସବରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍) ପ୍ରିୟବ୍ରତ ସାମନ୍ତରା, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ (ଆର୍ ଆଣ୍ଡ ବି) ସର୍କଲ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ, ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ଲୋକଭବନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।