ଝରିଗାଁ, ୧୫/୧୦ (ନକୁଳ ଭତ୍ରା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚାଟିଗୁଡ଼ା ପଞ୍ଚାୟତର ବିଜାପୁର ଅଞ୍ଚଳରେ ଦୀର୍ଘ ମାସ ଧରି ଜିଓ ମୋବାଇଲ୍ ନେଟୱାର୍କ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବିରେ ଅଞ୍ଚଳବାସୀ ଚାଟିଗୁଡ଼ା ସରପଞ୍ଚ ଗୋପବାଲି ପୂଜାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ହେବ ଅଞ୍ଚଳରେ ଜିଓ ନେଟୱାର୍କ ସେବା ଠିକ୍ ଭାବେ ଉପଲବ୍ଧ ହେଉନାହିଁ। ଫଳରେ ମୋବାଇଲ୍ରେ କଥାବାର୍ତ୍ତା କରିବା ସହ ଇଣ୍ଟରନେଟ୍ ବ୍ୟବହାର କରିବାରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନନ୍ଦିନ ଯୋଗାଯୋଗ ସହ ବିଭିନ୍ନ ଅନଲାଇନ୍ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଟେଲିକମ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ନେଟୱାର୍କ ସେବା ସ୍ୱାଭାବିକ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଦାବିପତ୍ରରେ ଦୁର୍ଯ୍ୟୋଧନ ଦାସ, କାର୍ତ୍ତିକ ହରିଜନ, ଗୁଡ଼ୁ ମାଝୀ, ରଞ୍ଜିତ କୁମାର, ଚନ୍ଦ୍ରଶେଖର ନାୟକ, ଦୁର୍ଜନ କଳାର, ସରାଦୁ ଭତ୍ରା, ହରେକୃଷ୍ଣ ଦାସ, ହରିଚନ୍ଦ୍ର ଭତ୍ରା, ଗଜେନ୍ଦ୍ର ଦାସ, ଦିବାକର ମାଝୀ, ଗଣେଶ ମାଝୀ, ସୁବାସ ମାଝୀ, କମୁଲୁ କଳାର, ବାସୁଦେବ ନିଗି ଓ ଯଦୁରାମ ପନକାଙ୍କ ସମେତ ଅନ୍ୟମାନେ ଦାବୀ କରିଛନ୍ତି।