ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ଗଜପତି ,୧୨।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଶିଶୁମାନଙ୍କ ଅଧିକାର, ସୁରକ୍ଷା ଓ ଆଇନଗତ ସଚେତନତା ବୃଦ୍ଧି ସହ ପୋଲିସ ପ୍ରତି ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ରବିବାର ଅକ୍ଟୋବର ୧୧ ତାରିଖରେ ଥାନା ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ପାରଳାଖେମୁଣ୍ଡିର ବିଭିନ୍ନ ବିଦ୍ୟାଳୟ ଏବଂ ଅନ୍ୱେଷା ଛାତ୍ରାବାସର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଉତ୍ସାହର ସହ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ଓ ଅଧିକାର ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା। ବାଲ୍ୟବିବାହ ନିଷେଧ, ଶିଶୁ ଯୌନ ନିର୍ଯାତନାରୁ ସୁରକ୍ଷା ପାଇଁ ପୋକ୍ସୋ ଆଇନ, ଶିଶୁ ନିର୍ଯ୍ୟାତନା ଓ ଶୋଷଣର ପ୍ରତିରୋଧ, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ଓ ଆଇନଗତ ବିଷୟରେ ଆଲୋକପାତ କରାଯାଇଥିଲା। କୌଣସି ପ୍ରକାର ଅସଦାଚରଣ, ନିର୍ଯାତନା କିମ୍ବା ଶୋଷଣର ଶିକାର ହେଲେ ଭୟଭୀତ ନହୋଇ ପୋଲିସକୁ ଜଣାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଏହି ଅବସରରେ ଗଜପତି ଜିଲ୍ଲାର ଡିଏସ୍‌ପି, ଏଚ୍‌ଆର୍‌ପିସି ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ପାରଳାଖେମୁଣ୍ଡି ୱାନ୍ ଷ୍ଟପ୍ ସେଣ୍ଟରର ଅଧୀକ୍ଷିକା ଶ୍ରୀମତୀ ସୁନିତା ରଥ, ଅନ୍ୱେଷା ଛାତ୍ରାବାସର ଅଧୀକ୍ଷିକା ଶ୍ରୀମତୀ ମିନତୀ ପଣ୍ଡା, ପାରଳାଖେମୁଣ୍ଡି ମଡେଲ ଥାନାର ଅଧିକାରୀ ଏବଂ ମହିଳା ଓ ଶିଶୁ ଡେସ୍କର ଦାୟିତ୍ୱରେ ଥିବା ଏସ୍‌ଆଇ ସ୍ୱପ୍ନା ବେହେରାଙ୍କ ସମେତ ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ନିମନ୍ତ୍ରିତଅତିଥିମାନେ ଯୋଗ ଦେଇଥିଲେ।ଉପସ୍ଥିତ ଅତିଥିମାନେ ଶିକ୍ଷାର ଗୁରୁତ୍ୱ, ଶିଶୁ ଅଧିକାରର ସୁରକ୍ଷା, ବାଲ୍ୟବିବାହ ରୋକିବା ଏବଂ ପିଲାମାନଙ୍କୁ ସମସ୍ତ ପ୍ରକାର ନିର୍ଯାତନା ଓ ଶୋଷଣରୁ ସୁରକ୍ଷିତ ରଖିବା ଦିଗରେ ମାର୍ଗଦର୍ଶନ କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ପୋଲିସ ଅଧିକାରୀଙ୍କ ସହ ଖୋଲାଖୋଲି ଆଲୋଚନା କରି ନିଜର ମତାମତ ଓ ଜିଜ୍ଞାସା ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିତୋଳିବା ସହ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅତିଥି ଓ ପୋଲିସ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।ଶିଶୁମାନଙ୍କ ସୁରକ୍ଷା, ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଗଜପତି ପୋଲିସ ସଦା ସର୍ବଦା ପ୍ରତିବଦ୍ଧ ବୋଲି ପାରଳାଖେମୁଣ୍ଡି ମଡେଲ ଥାନା ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.