ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ଅକ୍ଟୋବର ୧୩ରେ ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା ଆଶଙ୍କା ନଥିବା ପାଣିପାଗ ବିଭାଗ କହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି। ସାମୁଦ୍ରିକ ଓ ବାୟୁ ମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ। ତେଣୁ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ସହ ଓଡ଼ିଶା ଉପରେ ବାତ୍ୟା ଆଶଙ୍କା ନାହିଁ। କିନ୍ତୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ। ବିଶେଷ କରି ଅକ୍ଟୋବର ୧୭ ଓ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ତୁଳନାତ୍ମକ ଭାବେ ବଡ଼ ଧରଣର ବର୍ଷାର ସମ୍ଭାବନା କମ୍ ଥିବାବେଳେ ଦଶହରା ସମୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବାର ସମ୍ଭାବନା ଅଧିକ। ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିଲେ ସୁଦ୍ଧା ଅବପାତ ନେଇ ଚିତ୍ର ଅସ୍ପଷ୍ଟ ରହିଛି।