ଭୁବନେଶ୍ୱର: R&B ଡିଭିଜନ୍-୧ କାର୍ଯ୍ୟାଳୟରେ ଘଟିଥିବା ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାରେ ଆଜି ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି।
ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍-୧ର ପିଅନ କୁମୁଦ ସାହୁ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଭୁବନେଶ୍ୱର R&B ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ରହିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ ଥରରେ ଫୋନ୍ପେ ମାଧ୍ୟମରେ ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରାଙ୍କୁ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିଲେ। ଜାଲ୍ ବିଲ୍ ଗୁଡ଼ିକୁ ବିନା ଆପତ୍ତିରେ ପାସ୍ କରାଇବା ପାଇଁ ଏହି ଲାଞ୍ଚ ଟଙ୍କା ଦିଆଯାଇଥିଲା। ସେହିପରି ଅନ୍ୟତମ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦାସ ପୂର୍ବରୁ ଭୁବନେଶ୍ୱର R&B ଡିଭିଜନ୍-୧ରେ ଜୁନିୟର ଆସିଷ୍ଟାଣ୍ଟ ଥିବାବେଳେ ନିଜର, ନିଜ ମାଆ ନୟନା ଦାସ ଏବଂ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଅଭିଯୁକ୍ତମାନଙ୍କୁ ଦେଇଥିଲେ। ଏହି ଆକାଉଣ୍ଟଗୁଡ଼ିକୁ ପ୍ରୋଭିଜନାଲ୍ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ନାମରେ ଲକ୍ଷାଧିକ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ନୟନା ଦାସଙ୍କ ଆକାଉଣ୍ଟକୁ ପ୍ରାୟ ୫୦ ଲକ୍ଷ, କାହ୍ନୁଚରଣଙ୍କୁ ୧୫ ଲକ୍ଷ ଏବଂ ବିଶ୍ୱନାଥଙ୍କ ନିଜ ଆକାଉଣ୍ଟକୁ ୩୭ ଲକ୍ଷ ଟଙ୍କା ଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ, ଗିରଫ ପିଅନ କୁମୁଦ ସାହୁ ନିଜ ପତ୍ନୀ ବିଜୁଳି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଇଥିବାବେଳେ ସେଠାକୁ ପ୍ରୋଭିଜନାଲ୍ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା କରାଯାଇଥିଲା। କୁମୁଦ ପରେ ଏହି ଟଙ୍କା ନିଜ ଆକାଉଣ୍ଟକୁ ପଠାଇ ନଗଦ ଉଠାଇଥିଲେ। ଏହାପୂର୍ବରୁ ସେପ୍ଟେମ୍ବର ୨୭ ତାରିଖରେ ଭିଜିଲାନ୍ସ ଏହି ମାମଲାରେ R&B ଡିଭିଜନ୍-୧ର ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ ହୋଇଥିବାବେଳେ, ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ତଦନ୍ତ ଜାରି ରହିଛି।