ଜାମଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଅଘଟଣ, ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

0

ଝରୀଗାଁ, ତା ୧୦/୧୦(ନକୁଳ ଭତରା) ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ର ଚାଟି ଗୁଡ଼ା ପଂଚାୟତ ର ଜାମଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି। ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ର ଜଣକ ସିଡ଼ି ତଳେ ପଡ଼ିଯିବା ପରେ ତାଙ୍କୁ ଉମରକୋଟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଡାବୁଗାଁ ଥାନାରେ କେସ୍‌ ନମ୍ବର ୩୪ ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ମୃତ ଛାତ୍ର ଜଣକ ହେଲେ ପଗନୁ ଭତ୍ରାଙ୍କ ସାନ ପୁଅ ରୁପେନ୍ଦ୍ର ଭତ୍ରା। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କଷୁମଗୁଡ଼ା ଗ୍ରାମରେ। ପଗନୁ ଭତ୍ରାଙ୍କ ଦୁଇ ପୁଅ ଜାମଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ବଡ଼ ପୁଅ ଭୁବନ ଭତ୍ରା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ପୁଅ ରୁପେନ୍ଦ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ଅପରାହ୍ନ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ବିଦ୍ୟାଳୟରୁ ପଗନୁ ଭତ୍ରାଙ୍କ ନିକଟକୁ ଫୋନ୍‌ ଆସିଥିଲା। ତାଙ୍କ ସାନ ପୁଅ ସିଡ଼ି ତଳେ ପଡ଼ିଯାଇଥିବା ଏବଂ ତାଙ୍କୁ ଉମରକୋଟ ଡାକ୍ତରଖାନା ନିଆଯାଉଥିବା ଫୋନ୍‌ରେ ଜଣାଯାଇଥିଲା। ଏହାପରେ ଫୋନ୍‌ କଟିଯାଇଥିଲା।
ଖବର ପାଇ ପଗନୁ ଭତ୍ରା ନିଜ ସାନ ଭାଇ ଓ ଗ୍ରାମର କିଛି ଲୋକଙ୍କ ସହ ତୁରନ୍ତ ଉମରକୋଟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇଥିଲେ।
ଏହି ଦୁଃଖଦ ଘଟଣାରେ ପରିବାର ଲୋକେ ଗଭୀର ମାନସିକ ଆଘାତ ପାଇଛନ୍ତି। ପୁଅର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ପଗନୁ ଭତ୍ରା ଦାବି କରିଛନ୍ତି।
ଡାବୁଗାଁ ଥାନାରେ କେସ୍‌ ନମ୍ବର ୩୪ ରୁଜୁ ହୋଇଥିବା ବେଳେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

Leave A Reply

Your email address will not be published.