ଝରିଗାଁ, ତା ୧୦/୧୦(ନକୁଳ ଭତରା.): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନା ଗୁଡ଼ା ପଂଚାୟତର ଉମରକୋଟ- ନବରଙ୍ଗପୁର ମୁଖ୍ୟ ରାସ୍ତା ଝରିଗୁଡ଼ା ନିକଟସ୍ଥ ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଲ୍ଟୋ କାର୍ (ଓଡି ୧୦ ଡି ୯୧୯୨) ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମୃତକ ଦମ୍ପତିଙ୍କ ପରିଚୟ ସୁଶାନ୍ତ ପାଣିଗ୍ରାହୀ (୫୦) ଏବଂ ତାଙ୍କ ସ୍ତ୍ରୀ ମିନାକ୍ଷୀ ପାଣିଗ୍ରାହୀ (୪୫) ବୋଲି ଜଣାପଡ଼ିଛି। ସେମାନେ ଅନୁଗୁଳ ଜିଲ୍ଲାର ସେମାନଙ୍କ ଭାଇଙ୍କ ଘରୁ ନବରଙ୍ଗପୁର ଅଭିମୁଖେ ଯାଉଥିବାବେଳେ ଝରିଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାବଡ଼ତୋବଡ଼ ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଦମ୍ପତିଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ।