ଆଇପିଏଲ୍‌ରେ ହେବ କି ବଡ଼ ଅଦଳବଦଳ? ବିସିସିଆଇର ବୈଠକ ପୂର୍ବରୁ ବଢ଼ିଲା ଚର୍ଚ୍ଚା

0

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଇପିଏଲ୍‌ ୨୦୨୭ ପୂର୍ବରୁ ଗତ ସଂସ୍କରଣର ସମସ୍ୟା ଓ ଆୟୋଜନଗତ ତ୍ରୁଟିର ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ବଡ଼ ପଦକ୍ଷେପ ନେଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମୁମ୍ବାଇରେ ସମସ୍ତ ପ୍ରମୁଖ ଅଂଶୀଦାରଙ୍କୁ ନେଇ ଏକ ମିଳିତ ବୈଠକ ଡକାଯାଇଛି।

ଆଇପିଏଲ୍‌ ୨୦୨୭ ଲିଗ୍‌ର ୨୦ତମ ସଂସ୍କରଣ ହେବାକୁ ଥିବାରୁ ଏହାକୁ ଅଧିକ ସଫଳ ଓ ସୁବ୍ୟବସ୍ଥିତ କରିବା ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି। ବୈଠକରେ ରାଜ୍ୟ କ୍ରିକେଟ୍‌ ସଂଘ, ବିଭିନ୍ନ ଫ୍ରାଞ୍ଚାଇଜ୍‌ର ମାଲିକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବୋର୍ଡର ଅଧିକାରୀ ଏବଂ ପ୍ରସାରଣକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ। ଆଗାମୀ ସିଜିନ୍‌ର ଯୋଜନା ପ୍ରସ୍ତୁତି ସହ ଆୟୋଜନ, ଷ୍ଟାଡିୟମ୍‌ ପରିଚାଳନା ଓ ମ୍ୟାଚ୍‌ ଦିନର ସମନ୍ୱୟ ଉପରେ ଆଲୋଚନା ହେବ।ବିସିସିଆଇ ସଚିବ ଦେବଜିତ୍‌ ସାକିଆ ଏକ ପତ୍ରରେ କହିଛନ୍ତି ଯେ, ବିଗତ ସିଜିନ୍‌ର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବା, ରହିଥିବା ସମସ୍ୟାର ସମାଧାନ କରିବା ଏବଂ ୨୦୨୭ ସିଜିନ୍‌ ପାଇଁ ଉପଯୁକ୍ତ ଯୋଜନା ଓ ସମନ୍ୱୟ ଉପରେ ବିଚାର କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଆଇପିଏଲ୍‌ ଆୟୋଜନରେ ରାଜ୍ୟ ସଂଘଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ମତାମତକୁ ବିଶେଷ ଗୁରୁତ୍ୱ ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ପରେ ପ୍ରଥମ ଥର ପାଇଁ ବିସିସିଆଇ ଏଭଳି ମିଳିତ ବୈଠକରେ ରାଜ୍ୟ ସଂଘଗୁଡ଼ିକୁ ସେମାନଙ୍କ ମତାମତ ରଖିବା ପାଇଁ ସୁଯୋଗ ଦେଉଛି। ପୂର୍ବରୁ ଆଗାମୀ ସିଜିନ୍‌ର ଯୋଜନା ସମ୍ପର୍କରେ ମୁଖ୍ୟତଃ ଫ୍ରାଞ୍ଚାଇଜ୍‌ ଅଧିକାରୀଙ୍କ ସହ ଆଲୋଚନା କରାଯାଉଥିଲା।

ଅନ୍ୟପଟେ, ଆଇପିଏଲ୍‌ ୨୦୨୭ ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ପାଞ୍ଚ ଥରର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପ୍ରଶିକ୍ଷକ ଦଳରେ ପରିବର୍ତ୍ତନ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର୍‌ ମାଇକ୍‌ ହସିଙ୍କ ସହ ସିଏସ୍‌କେର ବିଚ୍ଛେଦକୁ ନେଇ ଆଲୋଚନା ଚାଲିଛି। ହସି ୨୦୧୮ ମସିହାରେ ସିଏସ୍‌କେର ପ୍ରଶିକ୍ଷକ ଦଳରେ ଯୋଗ ଦେଇଥିଲେ।

କିଛି ରିପୋର୍ଟ ଅନୁସାରେ, ପ୍ରଶିକ୍ଷକ ଦଳରେ ହୋଇଥିବା ପରିବର୍ତ୍ତନକୁ ନେଇ ହସି ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏଥିସହ ସେ ଆଗାମୀ ଆଇପିଏଲ୍‌ ସିଜିନ୍‌ରେ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌ ସହ ଯୋଡ଼ି ହେବା ପାଇଁ ଆଲୋଚନା କରୁଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନଥିବାରୁ ହସିଙ୍କ ଭବିଷ୍ୟତକୁ ନେଇ ଏବେ ଅପେକ୍ଷା ରହିଛି।ଆଇପିଏଲ୍‌ର ଐତିହାସିକ ୨୦ତମ ସଂସ୍କରଣ ପୂର୍ବରୁ ବିସିସିଆଇର ଏହି ବୈଠକ ଏବଂ ଫ୍ରାଞ୍ଚାଇଜ୍‌ଗୁଡ଼ିକର ସମ୍ଭାବ୍ୟ ପରିବର୍ତ୍ତନ ଆଗାମୀ ସିଜିନ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି।

Leave A Reply

Your email address will not be published.