ବନବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ, ୬ ଅଭିଯୁକ୍ତ ଗିରଫ ।

0

*ବନବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ, ୬ ଅଭିଯୁକ୍ତ ଗିରଫ ।

ଗଜପତି,୯।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ବନ୍ୟପ୍ରାଣୀଙ୍କ ଅବୈଧ ଶିକାର ଓ ସାମଗ୍ରୀର ବେଆଇନ କାରବାର ବିରୋଧରେ ବନ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି।ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଦେବଗିରି ଓ ମୋହନା ରେଞ୍ଜରେ ପୃଥକ୍ ପୃଥକ୍ ଚଢ଼ାଉ କରି ଦୁଇ ଦିନରେ ଦୁଇଟି ଚିତାବାଘ ଚମଡ଼ା ଜବତ କରିବା ସହ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ୦୮ ଅକ୍ଟୋବର ୨୦୨୬ରେ ଏସିଏଫ୍ ଶ୍ରୀମତୀ ସାଇନ ଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ବନ ବିଭାଗର ଏକ ସ୍ୱତନ୍ତ୍ର ଦଳ ପାରଳାଖେମୁଣ୍ଡି ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା। ସକାଳ ପ୍ରାୟ ୧୦ଟା ସମୟରେ ହୋଇଥିବା ଏହି ଚଢ଼ାଉରେ ଗୋଟିଏ ଚିତାବାଘ ଚମଡ଼ା ଜବତ ହେବା ସହ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।ଗିରଫ ଅଭିଯୁକ୍ତମାନେ ହେଲେ କାଶୀନଗର ଥାନା ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମର ଗୋରିଲା ଭିମୁଡୁ (ପ୍ରାୟ ୪୦ ବର୍ଷ) ଏବଂ କାଶୀନଗର ଥାନା ଅନ୍ତର୍ଗତ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟା (ପ୍ରାୟ ୪୨ ବର୍ଷ)।ଏହି ଚଢ଼ାଉରେ ଗୋଟିଏ ଚିତାବାଘ ଚମଡ଼ା ସମେତ ଗୋଟିଏ ମୋଟରସାଇକେଲ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏ ନେଇ ଦେବଗିରି ଫରେଷ୍ଟ ରେଞ୍ଜରେ କେସ୍ ନଂ ୦୪/୨୦୨୬-୨୭ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।ସେହିପରି, ୦୯ ଅକ୍ଟୋବର ୨୦୨୬ରେ ମୋହନା ରେଞ୍ଜ ଅନ୍ତର୍ଗତ ପାଣିଗଣ୍ଡା ସେକ୍ସନର ତୁଳସୀନଗର ଗ୍ରାମ ନିକଟରେ ବନ ବିଭାଗର ଅନ୍ୟ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରିଥିଲା। ସକାଳ ପ୍ରାୟ ୧୧ଟା ୩୦ ମିନିଟ୍‌ ସମୟରେ ହୋଇଥିବା ଏହି ଚଢ଼ାଉରେ ଗୋଟିଏ ଚିତାବାଘ ଚମଡ଼ା ଜବତ କରାଯିବା ସହ ଚାରି ଜଣ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା।ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ତିଆରିଗାମ ଗ୍ରାମର ଜଗା ମଲ୍ଲିକ (୩୬), ଦାରିଙ୍ଗବାଡ଼ି ଅଞ୍ଚଳର ବିଜୟାନନ୍ଦ ନାୟକ (୨୩), ଗଜପତି ଜିଲ୍ଲା ଆଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମର ତ୍ରିଲୋଚନ ପାତ୍ର (୩୫) ଏବଂ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦସିବାବାଡ଼ି ଗ୍ରାମର ଦୀପକ କୁମାର ନାୟକ (୨୫)।ବନ ବିଭାଗର ଏହି ଅଭିଯାନରେ ଗୋଟିଏ ଚିତାବାଘ ଚମଡ଼ା, ଦୁଇଟି ମୋଟରସାଇକେଲ ଓ ଚାରୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ ସହ ଅଧିକ ତଦନ୍ତ ଚାଲିଛି।
ଦୁଇ ଦିନରେ ଦୁଇଟି ଚିତାବାଘ ଚମଡ଼ା ଜବତ ଓ ୬ ଜଣଙ୍କ ଗିରଫଦାରୀ ଘଟଣା ଗଜପତି ଜିଲ୍ଲାରେ ବନ୍ୟପ୍ରାଣୀ ସୁରକ୍ଷା ଓ ଚୋରା କାରବାର ରୋକିବା ଦିଗରେ ବନ ବିଭାଗର ତତ୍ପରତାକୁ ଦର୍ଶାଉଛି। ଜବତ ଚମଡ଼ାଗୁଡ଼ିକର ଉତ୍ସ, ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହା ପଛରେ କୌଣସି ବଡ଼ ଚୋରା ବାଣିଜ୍ୟ ଚକ୍ର କାର୍ଯ୍ୟ କରୁଛି କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗରାଜୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.