ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରଯୁକ୍ତିନିର୍ଭର ଓ ଜନକୈନ୍ଦ୍ରିକ କରିବା ଦିଗରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଏସ୍ପିସିବିର ୧୩୫ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଦସ୍ୟ ସଚିବ ଡ. ମନୋଜ ଭି. ନାୟର, ଆଇଏଫ୍ଏସ୍ଙ୍କ ସମେତ ବୋର୍ଡର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ଓଏସ୍ପିସିବିର ପ୍ରତିଷ୍ଠାନଗତ ଓ ବୈଷୟିକ କ୍ଷମତା ବୃଦ୍ଧି, ପରୀକ୍ଷାଗାର ବ୍ୟବସ୍ଥାର ଆଧୁନିକୀକରଣ, ଗବେଷଣା ପ୍ରକଳ୍ପ ଏବଂ ଉପକୂଳ ପରିବେଶ ନିରୀକ୍ଷଣକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ପାରାଦୀପସ୍ଥିତ ଉପକୂଳ ପରିବେଶ ନିରୀକ୍ଷଣର ନୋଡାଲ୍ ସେଣ୍ଟର (ସିଏମ୍ସିଇ)କୁ ଉପକୂଳୀୟ ପରିବେଶ ନିରୀକ୍ଷଣ ଓ ବିଶ୍ଳେଷଣ ପାଇଁ ନୋଡାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ପ୍ରସ୍ତାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ଯେ ପାରାଦୀପର ଏହି କେନ୍ଦ୍ର କେବଳ ଏକ ପରୀକ୍ଷାଗାର ନହୋଇ ଉପକୂଳ ପରିବେଶ ସୁରକ୍ଷା ପାଇଁ ବିଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱିତ କେନ୍ଦ୍ର ଭାବେ ବିକଶିତ ହେବା ଆବଶ୍ୟକ। ରାଜ୍ୟର ପରିବେଶ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କଟକ, ଝାରସୁଗୁଡ଼ା, କୋରାପୁଟ, କଳିଙ୍ଗନଗର, ଭୁବନେଶ୍ୱର, କେନ୍ଦୁଝର ଓ ସମ୍ବଲପୁରଠାରେ ନିଜସ୍ୱ ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣ ଏବଂ ପଟିଆସ୍ଥିତ ପରୀକ୍ଷାଗାରର ଆଧୁନିକୀକରଣ ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଶ୍ରୀମତୀ ଗର୍ଗ ନୂତନ ଭିତ୍ତିଭୂମିରେ ସବୁଜ ଭବନ, ବର୍ଷାଜଳ ସଂରକ୍ଷଣ, ସୌରଶକ୍ତିର ବ୍ୟବହାର ଏବଂ ଜିଆଖତ ପ୍ରସ୍ତୁତି ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବ୍ୟାଖ୍ୟା ଓ ସୂଚନା କେନ୍ଦ୍ର ସ୍ଥାପନ ଓ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ପରିବେଶ ନିରୀକ୍ଷଣକୁ ଅଧିକ ତ୍ୱରିତ ଓ ତଥ୍ୟଭିତ୍ତିକ କରିବା ପାଇଁ ନୟାପଲ୍ଲୀସ୍ଥିତ ଓଏସ୍ପିସିବି ମୁଖ୍ୟାଳୟରେ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା। ପରୀକ୍ଷାଗାର ତଥ୍ୟ, ଜଳ ନମୁନା ପରୀକ୍ଷା ଓ କ୍ଷେତ୍ର ନିରୀକ୍ଷଣର ତଥ୍ୟକୁ ଏକୀକୃତ କରି ତ୍ୱରିତ ବିଶ୍ଳେଷଣ ଓ ନିଷ୍ପତ୍ତି ଗ୍ରହଣରେ ଏହା ସହାୟକ ହେବ। ସେହିପରି ରୋବୋଟିକ୍ ପ୍ରଯୁକ୍ତି ମାଧ୍ୟମରେ ଜଳ ନମୁନା ସଂଗ୍ରହ ଓ ନିରୀକ୍ଷଣ ଏବଂ ଡ୍ରୋନ୍ ମାଧ୍ୟମରେ କ୍ଷେତ୍ର ନିରୀକ୍ଷଣକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଓଏସ୍ପିସିବି ଆମ ପରିବେଶ ପ୍ରତି ଥିବା ଯତ୍ନ ଓ ଦାୟିତ୍ୱର ଏକ ପ୍ରତୀକ ଭାବେ ଠିଆ ହେବା ଉଚିତ୍। ଫ୍ଲାଇ ଆଶ୍ ପରିଚାଳନାକୁ ଅଧିକ ବୈଜ୍ଞାନିକ ଓ ଫଳପ୍ରଦ କରିବା ପାଇଁ ଓଡ଼ିଶା ଫ୍ଲାଇ ଆଶ୍ ଆଟଲାସ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ମାଧ୍ୟମରେ ଫ୍ଲାଇ ଆଶ୍ର ଉତ୍ପାଦନ, ଉପଲବ୍ଧତା, ଚାହିଦା ଓ ଉତ୍ପାଦକରୁ ବ୍ୟବହାରକାରୀ ପର୍ଯ୍ୟନ୍ତ ପ୍ରବାହକୁ ଚିହ୍ନଟ କରାଯିବ। ଏଥିସହ ଫ୍ଲାଇ ଆଶ୍ ବାୟୋ-ଷ୍ଟାବିଲାଇଜେସନ୍ ଓ ବାୟୋ-ଟ୍ରାନ୍ସଫର୍ମେସନ୍ ଉପରେ ପ୍ରତିଷ୍ଠିତ ଗବେଷଣା ଓ ଶିକ୍ଷାନୁଷ୍ଠାନ ସହଯୋଗରେ ଗବେଷଣାକୁ ଆଗେଇ ନିଆଯିବ। ଓଏସ୍ପିସିବିର ବାର୍ଷିକ ରିପୋର୍ଟକୁ ଅଧିକ ଜନକୈନ୍ଦ୍ରିକ, ସରଳ ଓ ସହଜବୋଧ୍ୟ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବହୁ ତଥ୍ୟ ସମ୍ବଳିତ ବାର୍ଷିକ ରିପୋର୍ଟକୁ ସାଧାରଣ ନାଗରିକଙ୍କ ପାଇଁ ସହଜ କରିବା ନିମନ୍ତେ ଚାର୍ଟ, ଚିତ୍ର, ସରଳ ତଥ୍ୟ ଓ ଡିଜିଟାଲ୍ ଉପସ୍ଥାପନା ମାଧ୍ୟମରେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ପରିବେଶ ସୁରକ୍ଷାର ବାର୍ତ୍ତାକୁ ଯୁବପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମିକ୍ ଓ ଇ-କମିକ୍ ପୁସ୍ତକ ବଣ୍ଟନ ଭଳି ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଏକ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିସମ୍ପନ୍ନ, ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ ପରିବେଶ ଶାସନ ବ୍ୟବସ୍ଥା ଗଠନ ପାଇଁ ସମସ୍ତ ପଦକ୍ଷେପକୁ ସମନ୍ୱିତ ଭାବେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ।