ବାଲେଶ୍ଵର ଜିଲ୍ଲାରେ ଏସଆଇଆର୍‌ରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ନାମ ଯୋଡ଼ିବା ପାଇଁ ସୁଯୋଗ

ଅକ୍ଟୋବର ୭ରୁ ୯ ଯାଏଁ ସ୍ୱତନ୍ତ୍ର ଅଭିଯାନ; ୧୮ ବର୍ଷ ପୂରଣ କରିଥିବା ଯୁବକ-ଯୁବତୀ ମଧ୍ୟ କରିପାରିବେ ଆବେଦନ

0
ବାଲେଶ୍ୱର, ୭/୧୦ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)-୨୦୨୬ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରଙ୍କୁ ନାମ ସାମିଲ କରିବା ପାଇଁ ସୁଯୋଗ ମିଳିବ। ଏଥିପାଇଁ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହେଉଛି।
ଏହି ଅଭିଯାନରେ ଏସଆଇଆର୍ ପ୍ରକ୍ରିୟା ସମୟରେ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନେ ପୁନର୍ବାର ନାମ ସାମିଲ ପାଇଁ ଆବେଦନ କରିପାରିବେ। ସେହିପରି, ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀମାନେ ମଧ୍ୟ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ।
ଯୋଗ୍ୟ ଯୁବ ଭୋଟର ଓ ଅନ୍ୟ ଯୋଗ୍ୟ ବ୍ୟକ୍ତିମାନେ ଫର୍ମ-୬ ମାଧ୍ୟମରେ ନିଜ ନିଜ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ନିକଟରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟାରେ ବିଏଲଓମାନେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବେ।
ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଏସଆଇଆର୍ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା ବାଲେଶ୍ୱର ଜିଲ୍ଲା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ଉପଲବ୍ଧ କରାଯିବ। ଏହି ତାଲିକାରେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ରହିଥିଲେ, ସେମାନେ ଆବଶ୍ୟକ ଯାଞ୍ଚ କରି ଦାବି ଓ ଆପତ୍ତି ଦାଖଲ କରିପାରିବେ।
ଏହି ସମ୍ପର୍କିତ ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ତାଲିକା ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲାର ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଏନେଇ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ସହ ସେମାନଙ୍କୁ ଆବଶ୍ୟକ ସହଯୋଗ ଦେବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଏହି ସ୍ୱତନ୍ତ୍ର ଅଭିଯାନର ପ୍ରମୁଖ ଲକ୍ଷ୍ୟ। ତେଣୁ ଏସଆଇଆର୍‌ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଅନ୍ୟ ଯୋଗ୍ୟ ବ୍ୟକ୍ତିମାନେ ଅକ୍ଟୋବର ୭ରୁ ୯ ତାରିଖ ମଧ୍ୟରେ ଏହି ସୁଯୋଗର ସଦୁପଯୋଗ କରି ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।
Leave A Reply

Your email address will not be published.