ସେବା ସେତୁ ଶିବିର ଜରିଆରେ ରୁଫ୍ ଟପ୍ ସୌରଶକ୍ତି ସ୍ଥାପନା ପାଇଁ ଟିପିଏନଓଡିଏଲ୍ ର ପ୍ରୋତ୍ସାହନ

୫ ଜିଲ୍ଲାରେ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ୫୦୦ରୁ ଅଧିକ ଉପଭୋକ୍ତା କଲେ ପଞ୍ଜୀକରଣ

0
ବାଲେଶ୍ଵର, ୭ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାରେ ଛାତ ଉପରେ ସୌରଶକ୍ତି ପ୍ରଣାଳୀ ସ୍ଥାପନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍) ‘ସେବା ସଙ୍କଳ୍ପ ଅଭିଯାନ’ ଅଧୀନରେ ଆୟୋଜିତ ‘ସେବା ସେତୁ’ ଶିବିରରେ ପ୍ରୋତ୍ସାହନ ଦେଉଛି। ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର ଓ ବାଲିଆପାଳ ବ୍ଲକ, ମୟୂରଭଞ୍ଜର ଠାକୁରମୁଣ୍ଡା ଏବଂ ଭଦ୍ରକର ତିହିଡ଼ି ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଶିବିର ଆୟୋଜିତ ହୋଇଥିଲା।
ଟିପିଏନ୍‌ଓଡିଏଲ୍ ପକ୍ଷରୁ କୁହାଯାଇଛି ଯେ, ଏହି ସଚେତନତା ଅଭିଯାନ ଓ ସେବା ସେତୁ ଶିବିର ଜରିଆରେ ଗୋଟିଏ ଦିନରେ ପାଞ୍ଚଟି ଜିଲ୍ଲାର ୫୦୦ରୁ ଅଧିକ ଉପଭୋକ୍ତା ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା’ରେ ଛାତ ଉପର ସୌରଶକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି।
ଶିବିରରେ ଉପଭୋକ୍ତାମାନେ ଟିପିଏନ୍‌ଓଡିଏଲ୍‌ର ସୌରଶକ୍ତି ଓ ଗ୍ରାହକ ସେବା ଟିମ୍‌, ବ୍ୟାଙ୍କିଂ ସହଯୋଗୀ ଏବଂ ବ୍ୟବସାୟିକ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ। ସୌରଶକ୍ତିର ଲାଭ, ଯୋଗ୍ୟତା, ସରକାରୀ ସବ୍‌ସିଡି, ଆବଶ୍ୟକ ଦଲିଲପତ୍ର ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଛାତ ଉପରେ ସୌର ପ୍ରଣାଳୀ ସ୍ଥାପନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦିଆଯାଇଥିଲା।
ଟିପିଏନ୍‌ଓଡିଏଲ୍‌ର ସିଇଓ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, ଛାତ ଉପର ସୌରଶକ୍ତିର ପ୍ରସାର ପାଇଁ ସ୍ପଷ୍ଟ ସୂଚନା ସହ ପ୍ରାୟୋଗିକ ସହାୟତା ଅତ୍ୟନ୍ତ ଜରୁରୀ। ‘ସେବା ସେତୁ’ ଶିବିର ଓ ‘ସୋଲାର ରଥ’ ଜରିଆରେ କମ୍ପାନୀ ଘରେ ଘରେ ଯୋଜନା ସମ୍ପର୍କିତ ମାର୍ଗଦର୍ଶନ ଓ ବୈଷୟିକ ସହାୟତା ପହଞ୍ଚାଉଛି। ଜିଲ୍ଲା ପ୍ରଶାସନ ଓ ସମସ୍ତ ଅଂଶୀଦାରଙ୍କ ସହଯୋଗରେ ଉତ୍ତର ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନୀ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ବାଲେଶ୍ଵରରେ ସେବା ସଙ୍କଳ୍ପ ଯାତ୍ରା ଅବସରରେ ସେବା ସେତୁ ଶିବିର ଆୟୋଜିତ ହୋଇଥିଲା। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଶିବିର ପରିଦର୍ଶନ କରିଥିଲେ। ଆର୍‌ଇସି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ଏ. ଶ୍ୟାମ ପ୍ରସାଦ ରାଓ ଓ ଗୁଲ୍‌ଶନ କୁମାରଙ୍କ ସହ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ–ପ୍ରକଳ୍ପ ପ୍ରଦୀପ କୁମାର ମହାନ୍ତି ଏବଂ ମୁଖ୍ୟ ଯନ୍ତ୍ରୀ–ସୋଲାରାଇଜେସନ୍ ରାଜୀବ କୁମାର ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାଲିଆପାଳରେ ବସ୍ତା ବିଧାୟିକା ସୁବାସିନୀ ଜେନା ଓ ବିଡିଓ ରାଧାରଞ୍ଜନ ଦାସ ସ୍ଥାନୀୟ ଜନପ୍ରତିନିଧି ଓ ଟିପିଏନ୍‌ଓଡିଏଲ୍ ଅଧିକାରୀଙ୍କ ସହ ଉପଭୋକ୍ତା ଆଲୋଚନା କରିଥିଲେ।
ଠାକୁରମୁଣ୍ଡା ଓ ତିହିଡ଼ିରେ ମଧ୍ୟ ସମାନ ଭାବେ ସଚେତନତା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ହୋଇଥିଲା।
ଆଗ୍ରହୀ ଉପଭୋକ୍ତାମାନେ ଯୋଗ୍ୟତା, ସରକାରୀ ସବ୍‌ସିଡି ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ଟିପିଏନ୍‌ଓଡିଏଲ୍‌ର ହେଲ୍ପଲାଇନ୍‌ ୧୮୦୦ ୩୪୫୬ ୭୧୮ କିମ୍ବା ୧୯୧୨ରେ ଯୋଗାଯୋଗ କରିପାରିବେ। ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରୁ ମଧ୍ୟ ସୂଚନା ନିଆଯାଇପାରିବ।
Leave A Reply

Your email address will not be published.