ବୋଷ୍ଟନ ମାରାଥନ ପାଇଁ ବାଲେଶ୍ୱରର ଡମ୍ବରୁଧରଙ୍କୁ ଡାକରା : ସ୍ୱପ୍ନ ପୂରଣରେ ଅର୍ଥ ବାଧକ ସାଜିବ କି?

0
ଓଡ଼ିଆ ବାର୍ତ୍ତା, ବାଲେଶ୍ୱର, ୪/୧୦ (କୃଷ୍ଣ କୁମାର ମହାନ୍ତି) : ବୟସ ୫୭। ହେଲେ ଦୌଡ଼ିବାର ନିଶା ଏବେ ବି ଅତୁଟ। ଦେଶର ବିଭିନ୍ନ ପ୍ରାନ୍ତରେ ମାରାଥନରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଥିବା ବାଲେଶ୍ୱରର ଧାବକ ଡମ୍ବରୁଧର ଚଣ୍ଡଙ୍କୁ ଏବେ ମିଳିଛି ବିଶ୍ୱପ୍ରସିଦ୍ଧ ବୋଷ୍ଟନ ମାରାଥନ୍ ପାଇଁ ଡାକରା। ତେବେ ଏହି ଆନ୍ତର୍ଜାତୀୟ ମଞ୍ଚରେ ଦୌଡ଼ିବା ପାଇଁ ଆବଶ୍ୟକ ପ୍ରାୟ ୩ ଲକ୍ଷ ଟଙ୍କା ତାଙ୍କ ପାଇଁ ବାଧକ ସାଜିଛି। ଫଳରେ ଅର୍ଥାଭାବ ଯୋଗୁଁ ଜଣେ ପ୍ରତିଭାବାନ ଓଡ଼ିଆ ଧାବକଙ୍କ ବୋଷ୍ଟନ ସ୍ୱପ୍ନ ଅଧୁରା ରହିଯିବ କି ବୋଲି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ନୀଳଗିରି କଲେଜର ୧୯୮୮-୯୧ ବ୍ୟାଚ୍‌ର ପୂର୍ବତନ ଛାତ୍ର ଡମ୍ବରୁଧର ଚଣ୍ଡ ବାଲେଶ୍ୱର ସହର ନିକଟସ୍ଥ କୁରୁଡ଼ା ଅଞ୍ଚଳର ନୁଟିପାଟଣା ଗ୍ରାମରେ ୧୯୭୦ ମେ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ଦୌଡ଼କୁଦ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା। ସ୍କୁଲ ଓ କଲେଜ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇବା ପରେ ସେ ମାରାଥନକୁ ନିଜର ପ୍ରମୁଖ ଲକ୍ଷ୍ୟ କରିଥିଲେ।
ବ୍ଲକସ୍ତରରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ବିଶେଷ ଉଲ୍ଲେଖନୀୟ ଯେ, ନିକଟରେ ଆଣ୍ଡାମାନ ଓ ନିକୋବରରେ ମାରାଥନରେ ଅଂଶଗ୍ରହଣ କରି ସେ ତାଙ୍କର ୨୯ତମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମାରାଥନ ଅଂଶଗ୍ରହଣ ସମ୍ପୂର୍ଣ୍ଣ କରିଛନ୍ତି। ଏହି ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟି ସ୍ଥାନରେ ପୋଡିୟମ୍ ଫିନିଶ୍ କରିଥିବା ସେ ନିଜେ ସୂଚନା ଦେଇଛନ୍ତି।
ଆଣ୍ଡାମାନରୁ ନିଜର ଏହି ସଫଳତାର ସୂଚନା ଦେଇ ଡମ୍ବରୁଧର କହିଛନ୍ତି ଯେ ସେ ଅକ୍ଟୋବର ୬ ତାରିଖରେ ଫେରିବେ। ଦେଶର ବିଭିନ୍ନ ଭୌଗୋଳିକ ପରିବେଶରେ ଦୌଡ଼ି ନିଜର ସାମର୍ଥ୍ୟ ପ୍ରମାଣ କରିବା ସହ ତାଙ୍କର ଏହି ଅଭିଯାନ ଜାରି ରହିଛି।
ଏକମାତ୍ର ଓଡ଼ିଆ ଭାବେ ଲଦାଖ ମାରାଥନରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପଦକ ହାସଲ କରିବା ସହ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେହିପରି ଗତ ୨୩ତମ ଏସିଆନ୍‌ ମାଷ୍ଟର୍ସ ଚାମ୍ପିଅନସିପ୍‌ର ୧୫୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟପଦକ ଜିତିଛନ୍ତି।
ଏବେ ତାଙ୍କ ନିକଟକୁ ଆସିଛି ୨୦୨୭ ଏପ୍ରିଲ ୧୯ ତାରିଖରେ ଆମେରିକାର ବୋଷ୍ଟନ ସହରରେ ହେବାକୁଥିବା ୧୩୧ତମ ବୋଷ୍ଟନ ମାରାଥନରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ। ଏଥିପାଇଁ ସେ ପ୍ରାୟ ୨୭ ହଜାର ଟଙ୍କା ରେଜିଷ୍ଟ୍ରେସନ୍‌ ଫି ଦେଇଛନ୍ତି। କିନ୍ତୁ ଆମେରିକା ଯିବା-ଆସିବା, ରହିବା, ଖାଇବାପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ପ୍ରାୟ ୩ ଲକ୍ଷ ଟଙ୍କା ଆବଶ୍ୟକ ହେବ। ଏହି ବ୍ୟୟଭାର ତାଙ୍କ ପାଇଁ ଏବେ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି।
ଅର୍ଥାଭାବ ଯୋଗୁଁ ବୋଷ୍ଟନ ମାରାଥନର ଏହି ସୁଯୋଗ ହାତଛଡ଼ା ହୋଇଯିବା ନେଇ ଡମ୍ବରୁଧର ବେଶ୍ ଚିନ୍ତିତ ଅଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଡମ୍ବରୁଧରଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଆମେରିକା ଯାତ୍ରା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବାଲେଶ୍ବରର ବହୁ କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି। ସରକାରୀ କିମ୍ବା ସାମାଜିକ ସହଯୋଗ ମିଳିଲେ ବାଲେଶ୍ୱରର ଏହି ପ୍ରତିଭାବାନ ଧାବକ ବୋଷ୍ଟନର ଆନ୍ତର୍ଜାତୀୟ ମଞ୍ଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ତଥା ଭାରତର ଗୌରବ ବଢ଼ାଇ ପାରିବେ ବୋଲି ଆଶା କରାଯାଉଛି।
Leave A Reply

Your email address will not be published.