ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ନୂଆ ମୋଡ଼ ଆସିଛି। ଚୋରି ଉଦ୍ଦେଶ୍ୟରେ ଅଭିଯୁକ୍ତ ଘରେ ପଶିଥିବା ଏବଂ ପରେ ଯୁବତୀଙ୍କୁ ଧମକ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଏକ ପିସ୍ତଲ ସଦୃଶ ଲାଇଟର ଧରି ଘରେ ପ୍ରବେଶ କରିଥିଲା। ଘରେ କେହି ନଥିବା ଦେଖି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା କୁହାଯାଇଛି। ଯୁବତୀ ଲାଇଟରଟିକୁ ପିସ୍ତଲ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ।ଘଟଣା ପରେ ଅଭିଯୁକ୍ତ ପ୍ରଥମେ ନୟାପଲ୍ଲୀରୁ ବସ୍ ଯୋଗେ ସିଆରପି ଛକ ଯାଇଥିଲା। ସେଠାରୁ ଅଟୋ ଯୋଗେ ଭରତପୁର ଯାଇଥିବା ପୁଲିସ କହିଛି। ଭରତପୁରରେ ସେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା।
ଅଭିଯୁକ୍ତକୁ ଧରିବାରେ କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭି ଫୁଟେଜ୍ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିବା ସୂଚନା ମିଳିଛି।ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଚକେଇସିହାଣୀ ଅଞ୍ଚଳରେ ରହୁଥିବାବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଅଞ୍ଚଳରେ। ତାଙ୍କ ନାମରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ମଧ୍ୟ ଥିବା ପୁଲିସ ପକ୍ଷରୁ କୁହାଯାଇଛି।ଘଟଣାରେ ଦୁଷ୍କର୍ମ ଅଭିଯୋଗର ସତ୍ୟତା ସମେତ ସମସ୍ତ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି।