ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

0

ଭୁବନେଶ୍ୱର: ସାଧାରଣ ନାଗରିକଙ୍କ ନିକଟରେ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ପହଞ୍ଚାଇବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିଜ ନିର୍ବାଚନ ମଣ୍ଡଳୀ ସମେତ ସମ୍ପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାରେ ଚାଲିଥିବା ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଏହି ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା।

ଏହି ସମୀକ୍ଷା ଆଲୋଚନା ସମୟରେ ଜିଲ୍ଲାରେ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ଏବଂ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବିତ ହେଉଥିବା ପ୍ରକଳ୍ପଗୁଡ଼ିକୁ କିପରି ଅତିଶୀଘ୍ର ସମ୍ପୂର୍ଣ୍ଣ କରାଯାଇ ସାଧାରଣ ଜନତାଙ୍କ ସେବାରେ ଉତ୍ସର୍ଗ କରାଯାଇପାରିବ, ସେ ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଅନ୍ୟାନ୍ୟ ପ୍ରଶାସନିକ ବିଭାଗଗୁଡ଼ିକ ସହ ଆନ୍ତରିକ ଓ ଉତ୍ତମ ସମନ୍ୱୟ ରକ୍ଷା କରି, ଦୀର୍ଘ ଦିନରୁ ପଡ଼ିରହିଥିବା ପ୍ରଶାସନିକ, ଜଙ୍ଗଲ ଏବଂ ଆଇନଗତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପୂର୍ବକ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଗିରୀଶ ଏସ୍.ଏନ୍, ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ-ତଥା-ଅତିରିକ୍ତ ସଚିବ ବିନୀତ୍ ଭରଦ୍ୱାଜ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ମୁଖ୍ୟ ଯନ୍ତ୍ରୀ-ଇନ୍-ଚିଫ୍ ରତ୍ନାକର ସିଆଳ, ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଅଧିକାରୀ ଗଜାନନ ଲାଡେ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ଜେନା, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ନିର୍ମାଣକାରୀ ଠିକା ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତାମତ ଦେଇଥିଲେ।

Leave A Reply

Your email address will not be published.