ପଡ଼େଇଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲିସର ଅପମୃତ୍ୟୁ ମାମଲା ରୁଜୁ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଜାରି

0

ତେନ୍ତୁଳୀଖୁଣ୍ଟି, ୧/୧୦:(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ପଞ୍ଚାୟତର ପଡ଼େଇଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଜେଟିଏସ୍‌ ଶିକ୍ଷକ ଜ୍ଞାନରଞ୍ଜନ ଲେଙ୍କାଙ୍କ ତାଙ୍କ ବାସଗୃହରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ନାୟକ ପାତ୍ରପୁଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଶିକ୍ଷକ ଶ୍ରୀ ଲେଙ୍କା ଗତକାଲି ରାତିରେ ଖାଇସାରି ଶୋଇଥିଲେ। ତେବେ ସକାଳେ ପ୍ରଧାନ ଶିକ୍ଷକ ତାଙ୍କୁ ଡାକିବାକୁ ଯାଇଥିବା ବେଳେ ତାଙ୍କ ଶରୀରର ଅଧା ଅଂଶ ଖଟ ଉପରେ ଏବଂ ଅନ୍ୟ ଅଧା ଅଂଶ ତଳେ ଆଣ୍ଠୁମାଡ଼ିଥିବା ଅବସ୍ଥାରେ ଦେଖିଥିବା ଜଣାପଡ଼ିଛି।

ଅଭିଯୋଗ ପରେ ପାତ୍ରପୁଟ ଫାଣ୍ଡି ପୋଲିସ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କ୍ରିଷ୍ଟାକାନ୍ତ କିରସାନୀ ସୂଚନା ଦେଇଛନ୍ତି।

ସାଥୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସୂଚନା ଅନୁଯାୟୀ, ଶ୍ରୀ ଲେଙ୍କା ୨୦୨୪ ମସିହାରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ। କେତେକ ସହକର୍ମୀଙ୍କ କହିବା ଅନୁଯାୟୀ, ତାଙ୍କର ଫିଟ୍‌ସ୍‌ ସମସ୍ୟା ଥିବା ନେଇ ସେମାନେ ଜାଣିଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଘଟଣାର ଖବର ପାଇ ତେନ୍ତୁଳୀଖୁଣ୍ଟି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୂଳରଞ୍ଜନ ସୁନା ଓ କ୍ଷେତ୍ରମୋହନ ବିଷୋୟୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିକ୍ଷକଙ୍କ ମୃତ୍ୟୁରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଆବଶ୍ୟକ ହେଲେ ମୃତଦେହକୁ ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ବିଇଓ ଶ୍ରୀ ଦାସ କହିଛନ୍ତି।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର

Leave A Reply

Your email address will not be published.