ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

0

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଗତକାଲି ତାଙ୍କ ସହିତ ଜଡ଼ିତ ୭ଟି ଠିକଣାରେ ଚଢ଼ଉ କରାଯାଇଥିବା ବେଳେ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୨୪୮% ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଶ୍ରୀ ସାମନ୍ତରାୟଙ୍କ ସମ୍ପତ୍ତି ମଧ୍ୟରେ ରହିଛି ୪ଟି ବହୁତଳ କୋଠା, ଗୋଟିଏ ୩-ବିଏଚ୍‌କେ ଫ୍ଲାଟ୍‌, ୩୦ଟି ମୂଲ୍ୟବାନ ପ୍ଲଟ୍‌, ୩୦୦ ଗ୍ରାମ ସୁନାଗହଣା, ୩୬ ଲକ୍ଷ ୭୮ ହଜାର ଟଙ୍କାର ଜମା ଓ ଗୋଟିଏ ଚାରି ଚକିଆ ଗାଡ଼ି। ଭୁବନେଶ୍ୱରର ନନ୍ଦନ ବିହାରରେ ତାଙ୍କର ଏକ ଡୁପ୍ଲେକ୍ସ ଥିବା ବେଳେ ପୁରୀ ବାଲିଗୁଆଳିର ତୋଟା ବେହେରା ସାହିରେ ଏକ ତିନି ମହଲା କୋଠା, ଖୋର୍ଦ୍ଧା ବାଲୁଗାଁର ସୁବାସ ମାର୍ଗରେ ଏକ ଦୁଇ ମହଲା ଘର ଓ ଭୁବନେଶ୍ୱରର ଜଟଣୀ ନିକଟରେ ଏକ କୋଠା ରହିଛି। ଏହା ସହିତ ସମ୍ବଲପୁରର ଧନକଉଡ଼ାରେ ସନ୍ ସିଟ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩-ବିଏଚ୍‌କେ ଫ୍ଲାଟ୍ ରହିଛି। ତାଙ୍କର ୩୦ଟି ମୂଲ୍ୟବାନ ପ୍ଲଟ୍ ମଧ୍ୟରୁ ୮ଟି ଭୁବନେଶ୍ୱର ଓ ଜଟଣୀର ପ୍ରମୁଖ ସ୍ଥାନଗୁଡ଼ିକରେ ଥିବା ବେଳେ ୩ଟି ଖୋର୍ଦ୍ଧା ଆଖପାଖ ଅଞ୍ଚଳରେ ୮ଟି ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ସେହିପରି ବୁର୍ଲାରେ ୩ଟି ପ୍ଲଟ୍ ଓ ରେଙ୍ଗାଲିରେ ୨ଟି ପ୍ଳଟ୍ ଅଛି। ତାଙ୍କ ଘରେ ଥିବା ଆସବାବପତ୍ର ଆଦିର ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ସେ ଏହି ସବୁ ସମ୍ପତ୍ତି କେମିତି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.