ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।

0

ଗଜପତି:-(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ପରିଷଦ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ‘ସ୍ୱପ୍ନର ଭାରତ’ ଶୀର୍ଷକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଡ଼ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ୱାଇ. କ୍ରିଷ୍ଣାରାଓ, ସିଆରସିସି ଶ୍ରୀମତୀ ସଙ୍ଗୀତା କୁମାରୀ ପାତ୍ର, ଆୟୋଜକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ଭାଗବତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ‘ସ୍ୱପ୍ନର ଭାରତ’ ଶୀର୍ଷକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା ଓ ଚିନ୍ତାଧାରା ମାଧ୍ୟମରେ ଭବିଷ୍ୟତର ଭାରତ ସମ୍ପର୍କରେ ନିଜର ସ୍ୱପ୍ନ, ଆଶା ଓ ଚିନ୍ତାକୁ ଚିତ୍ର ଏବଂ ବକ୍ତୃତା ମାଧ୍ୟମରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ସହ ଭବିଷ୍ୟତ ପ୍ରତି ଆଶାବାଦୀ ଚିନ୍ତାଧାରା ବିକାଶରେ ସହାୟକ ହୋଇଥିଲା।ଏଥି ସହ ବରିଷ୍ଠ ନାଗରିକମାନଙ୍କ ପାଇଁ ମଧ୍ୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପୂର୍ବତନ ବ୍ୟାଙ୍କ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ଯତ୍ନ, ସମ୍ମାନ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।ଆସନ୍ତା ଅକ୍ଟୋବର ୧ ତାରିଖ ବରିଷ୍ଠ ନାଗରିକ ଦିବସ ଅବସରରେ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.