ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା କେନାଲ ରୋଡ୍ରେ ଥିବା ‘ନନ୍ଦିନୀ ଗେଷ୍ଟ ହାଉସ୍’ରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୁଳ ଅଞ୍ଚଳର ଏହି ମହିଳା ଜଣକ ପୂର୍ବରୁ ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିଲେ। ଗତ ୧ ତାରିଖରୁ ସେ ନିମାପଡ଼ାର ନନ୍ଦିନୀ ଗେଷ୍ଟ ହାଉସରେ ଯୋଗ ଦେଇଥିଲେ। ତେବେ ୮ ତାରିଖରେ ଗେଷ୍ଟ ହାଉସର ୪ ଜଣ କର୍ମଚାରୀ- ରାଜା, ସୁଶାନ୍ତ, ଅକ୍ଷୟ ଏବଂ ରମେଶ ଚନ୍ଦ୍ର ଦାସ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ସେ ପ୍ରଥମେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଖଣ୍ଡଗିରି ଥାନା ପକ୍ଷରୁ ଏହି ମାମଲାଟିକୁ ନିମାପଡ଼ା ଥାନାକୁ ହସ୍ତାନ୍ତର କରାଯାଇଥିଲା। ନିମାପଡ଼ା ପୋଲିସ କେସ୍ ନଂ ୨୯୮/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପିପିଲି ଅଞ୍ଚଳରୁ ୨ ଜଣ ଏବଂ ନିମାପଡ଼ା ଅଞ୍ଚଳରୁ ୨ ଜଣ ସହ ସମୁଦାୟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।