ସୁନାମି ବିପର୍ଯ୍ୟୟ ମୁକାବିଲା ପାଇଁ ବାଲେଶ୍ୱରରେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର ଟିମ୍‌ର ମୂଲ୍ୟାଙ୍କନ

0
ବାଲେଶ୍ୱର, ୨୬ ସେପ୍ଟେମ୍ବର( କୃଷ୍ଣ କୁମାର ମହାନ୍ତି): ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ସମ୍ଭାବ୍ୟ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପୂର୍ବ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସେବା କେନ୍ଦ୍ର (INCOIS), ହାଇଦ୍ରାବାଦର ବୈଜ୍ଞାନିକ ଟିମ୍‌ ଶନିବାର ବାଲେଶ୍ୱର ସଦର ବ୍ଲକର ନିଧିପଡ଼ା ଓ ଗୁଡୁପାହି ଗ୍ରାମ ପରିଦର୍ଶନ କରି ସୁନାମି ଗ୍ରାମଗୁଡ଼ିକର ମୂଲ୍ୟାଙ୍କନ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନାମି ଭଳି ଆକସ୍ମିକ ବିପର୍ଯ୍ୟୟ ସମୟରେ କିଭଳି ପୂର୍ବ ପ୍ରସ୍ତୁତି ଓ ଉଦ୍ଧାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା।
ଉପଯୁକ୍ତ ଯୋଜନା ଓ ପ୍ରସ୍ତୁତି ମାଧ୍ୟମରେ ଧନଜୀବନର ସୁରକ୍ଷା ସହ ‘ଶୂନ୍ୟ ମୃତ୍ୟୁ’ ଆଭିମୁଖ୍ୟକୁ ସାକାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଜ୍ଞାନିକ ଜେ. ପଦ୍ମନାଭନ ଓ ଏଚ୍. ଶିବକୁମାର ସୁନାମି ସମ୍ବନ୍ଧୀୟ ବିଭିନ୍ନ ସୂଚକର ମୂଲ୍ୟାଙ୍କନ କରିବା ସହ ଗୋଷ୍ଠୀ ସଦସ୍ୟ, ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଓଏସଡିଏର ରାଜ୍ୟ ସଂଯୋଜକ ମେଘନାଦ ବେହେରା ଓ ଅତିରିକ୍ତ ସାଧାରଣ ପରିଚାଳକ ଦେବଦୂତି ନାୟକଙ୍କ ସମେତ ବାଲେଶ୍ୱର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓଡ୍ରାଫ୍ ବାହିନୀ, ଅଗ୍ନିଶମ ବିଭାଗ, ସିଭିଲ୍ ଡିଫେନ୍ସ, ସ୍ୱେଚ୍ଛାସେବୀ ସଂଗଠନ ଓ ଆପଦମିତ୍ର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ।
ବର୍ଦ୍ଧନପୁର ସରପଞ୍ଚ ଆରତୀ ଶତପଥି, ଗୁଡୁ ସରପଞ୍ଚ କମଳିନୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସମ୍ପାଦକମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚିନ୍ମୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply

Your email address will not be published.