ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର: ୨ ଲକ୍ଷରୁ ଅଧିକ ପ୍ରଭାବିତ

୪୯,୫୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର ୭୭ ରିଲିଫ୍ ଶିବିର ଓ ସାମୂହିକ ରୋଷେଇ କେନ୍ଦ୍ର ଚାଲୁ

0

ବାଲେଶ୍ୱର, ୨୬ା୯ (କୃଷ୍ଣ କୁମାର ମହାନ୍ତି): ଲଗାତାର ବର୍ଷା ଏବଂ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜିଲ୍ଲାର ବିଭିନ୍ନ ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକ୍ ବନ୍ୟା ପ୍ରଭାବିତ ହୋଇଥିବାବେଳେ ମୋଟ ୨,୦୩,୨୦୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି। ବନ୍ୟା ପ୍ରଭାବିତ ଓ ବିପଦସଙ୍କୁଳ ଅଞ୍ଚଳରୁ ୪୯,୫୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ରହଣି ପାଇଁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ୭୭ଟି ରିଲିଫ୍ ଶିବିର ଖୋଲାଯାଇଛି।

ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୪୯,୫୯୦ ଜଣଙ୍କ ନିମନ୍ତେ ସାମୂହିକ ରୋଷେଇ କେନ୍ଦ୍ର ଚାଲୁ କରାଯାଇଛି। ଏଥିସହିତ ରିଲିଫ୍ ସାମଗ୍ରୀ ଭାବେ ୪୦୦ କୁଇଣ୍ଟାଲ ଚୁଡ଼ା ଓ ୪୦ କୁଇଣ୍ଟାଲ ଗୁଡ଼ ମହଜୁଦ ରଖାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପଶୁଧନର ସୁରକ୍ଷା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି। ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ୬ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିବାବେଳେ ପଶୁମାନଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୧୭ଟି ପଶୁ ଚିକିତ୍ସା ଦଳ କାର୍ଯ୍ୟରତ ଅଛନ୍ତି।

ଜିଲ୍ଲାରେ ବନ୍ୟାର ବ୍ୟାପକତା ଏଥିରୁ ଅନୁମାନ କରାଯାଇପାରେ ଯେ, ୯୨ଟି ଗ୍ରାମ ପଞ୍ଚାୟତ, ୫୪୧ଟି ଗ୍ରାମ ଏବଂ ୩ଟି ସହରାଞ୍ଚଳ ସ୍ଥାନୀୟ ନିକାୟର ୩୬ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି।

ଲଗାତାର ବର୍ଷା ଓ ନଦୀଗୁଡ଼ିକରେ ବଢ଼ୁଥିବା ଜଳସ୍ତର ଯୋଗୁଁ ପରିସ୍ଥିତି ଆହୁରି ଚିନ୍ତାଜନକ ହୋଇଛି। ବାଲେଶ୍ୱର ଜିଲ୍ଲାର ମଥାନୀଠାରେ ଜଳକା ନଦୀ ବିପଦସଙ୍କେତ ଅତିକ୍ରମ କରିଛି, ଫଳରେ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିସହିତ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।

ଜିଲ୍ଲା ପ୍ରଶାସନ ତୃଣମୂଳ ସ୍ତରରେ ନିରୀକ୍ଷଣ ସହ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ, ସ୍ୱାସ୍ଥ୍ୟସେବା ଏବଂ ପଶୁଧନର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ରାଜ୍ୟ ସରକାର ମଧ୍ୟ ଜିଲ୍ଲା ପ୍ରଶାସନକୁ ସତର୍କ ରହିବା, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ ରଖିବା ସହ ନଦୀ ଓ ବିଭିନ୍ନ ଜଳସ୍ରୋତର ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।

ବନ୍ୟା ସ୍ଥିତି ଏବେ ମଧ୍ୟ ପରିବର୍ତ୍ତନଶୀଳ ରହିଥିବାରୁ ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ବାଲେଶ୍ୱରର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାରକାରୀ ଦଳ ନିୟୋଜିତ ରହିଛନ୍ତି ଏବଂ ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।

Leave A Reply

Your email address will not be published.