ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚର ୪କୋଟିର ହିସାବକୁ ନେଇ ବିବାଦ

କୋଷାଧ୍ୟକ୍ଷଙ୍କ ଅସହଯୋଗ ପାଇଁ ହୋଇପାରୁନି ଅଡିଟ୍‌: ଉପ-ସଭାପତି

କଟକ: ମିସନରୋଡ୍‌ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀର କୋଷାଧ୍ୟକ୍ଷ ୧୦ ବର୍ଷ ଧରି ଚର୍ଚ୍ଚର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ହିସାବ ବର୍ହିଭୂତ ରଖିଥିବା ଅଭିଯୋଗ ହୋଇଛି। ମଣ୍ଡଳୀର ସମସ୍ତ ଆୟ-ବ୍ୟୟ ହିସାବର ବାର୍ଷିକ ଆଭ୍ୟନ୍ତରୀଣ ଅଡିଟ୍‌ କରିବାର ନିୟମ ଥିବାବେଳେ କୋଷାଧ୍ୟକ୍ଷଙ୍କ ଅସହଯୋଗ ଯୋଗୁଁ ଏହି କାମ ଅନେକ ବର୍ଷ ହେବ ହୋଇନାହିଁ। ବକ୍ସିବଜାରସ୍ଥିତ ଏକ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚର୍ଚ୍ଚର ଉପ-ସଭାପତି ଲାଲମୋହନ ରାଉଳ ଏହି ଅଭିଯୋଗ ଆଣିଛନ୍ତି। ଓଡ଼ିଆ ବାପଟିଷ୍ଟ ମଣ୍ଡଳୀର ମାସିକ ଆୟ ୪ଲକ୍ଷ ହୋଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ୪ କୋଟିରୁ ଅଧିକ ଟଙ୍କାର କୌଣସି ହିସାବ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। କୋଷାଧ୍ୟକ୍ଷ ଧୀରାଜ ଚୌଧୁରୀଙ୍କ ଅସହଯୋଗ ପାଇଁ ଉକ୍ତ ଟଙ୍କାର ଅଡିଟ୍‌ ହୋଇ ପାରୁନି। ସେ ସମସ୍ତ ଅର୍ଥକୁ ହେରଫେର କରିବା ପ୍ରୟାସ କରିଆସୁଛନ୍ତି ବୋଲି ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହାକୁ ନେଇ ଚର୍ଚ୍ଚର ଡିକନ୍‌ ରଂଜିତ ନାୟକ ୨୦୧୯ରେ ସମସ୍ତ ଟଙ୍କାର ହିସାବ କରି ଚର୍ଚ୍ଚର ସାଧାରଣ ସଭ୍ୟଙ୍କୁ ଆର୍ଥିକ ସ୍ଥିତି ବିଷୟରେ ଜଣାଇବା ପାଇଁ ଓକିଲଙ୍କ ଜରିଆରେ କୋଷାଧ୍ୟକ୍ଷଙ୍କୁ ଏକ ନୋଟିସ୍‌ ପଠାଇଥିଲେ। ମାତ୍ର ଏଥିରେ କୌଣସି ସୁଫଳ ନମିଳିବାରୁ ଶ୍ରୀ ନାୟକ ଜିଲ୍ଲାପାଳ, ରାଜ୍ୟ ଗୃହ ବିଭାଗର ସଚିବଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ବିଭାଗ ସଚିବ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ, ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍‌ କରିଥିଲେ। ହେଲେ ଏହା ଉପରେ ଅଧିକାରୀ କୌଣସି ପଦକ୍ଷେପ ନେଇନଥିବା ସମ୍ମିଳନୀରେ କୁହାଯାଇଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦି‌ନରେ କୋର୍ଟର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସମ୍ମିଳନୀରେ ମଣ୍ଡଳୀର ସାଧାରଣ ସଂପାଦକ ପ୍ରଦୀପ ସାହୁ, ସହ-କୋ‌ଷାଧ୍ୟକ୍ଷ ତପନ ଦାସ, କବରଖାନା ସଂପାଦକ ରଶ୍ମିରଂଜନ ସାହୁ, ପ୍ରତ୍ୟୁଷ ଦାସ, ଡିକନ୍‌ ରଂଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଚର୍ଚ୍ଚର ସମସ୍ତ ଆୟ ଓ ବ୍ୟୟର ହିସାବପତ୍ର ମଣ୍ଡଳୀର କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ସେମାନେ ଯେଉଁ ହିସାବ ଓ କାଗଜପତ୍ର ମାଗିଛନ୍ତି ସବୁ କିଛି ସେମାନଙ୍କୁ ଦିଆଯାଇଛି। ଏହାକୁ କାର୍ଯ୍ୟାଳୟର ଆଲମିରାରେ ତାଲା ପକାଇ କର୍ତ୍ତୃପକ୍ଷ ରଖିଛନ୍ତି। ୧୦ ବର୍ଷ ଧରି ପ୍ରତ୍ୟେକ ମାସରେ ଫାଇନାନ୍ସ କମିଟିର ଅନୁମୋଦନ ପରେ ଆୟ ଓ ବ୍ୟୟର ହିସାବକୁ କାଉନ୍‌ସିଲ ଗ୍ରହଣ କରୁଥିବା ବେଳେ ଏବେ ଏପରି ମିଛ ଅଭିଯୋଗ ଅଣାଯାଉଛି ବୋଲି କୋଷାଧ୍ୟକ୍ଷ ଧୀରାଜ ଚୌଧୁରୀ କହିଛନ୍ତି।

Comments are closed.