ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଅବପାତ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ହେତୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍ ସମେତ ଭୁବନେଶ୍ବର ଉପକଣ୍ଠରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଯାଁଳା ପଞ୍ଚାୟତର କୁଞ୍ଜବିହାରୀ, କେନ୍ଦ୍ରୀୟ ବିହାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳରେ ରାସ୍ତା ଉପରେ ଦୁଇ ଫୁଟ୍ ଉଚ୍ଚର ପାଣି ଜମି ରହିବା ସହ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଘରଦ୍ୱାର ଜଳମଗ୍ନ ହୋଇପଡ଼ିଛି। ସେହିପରି ଯାଁଳା ପଞ୍ଚାୟତର ଗ୍ରାମେଶ୍ୱର ନଗରରେ ଥିବା ଅଙ୍ଗନବାଡ଼ି, ଯାଁଳା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଏବେ ପାଣି ଘେରରେ ରହିଛି। ବ୍ରହ୍ମକୁଣ୍ଡଳ ଗାଁ ଏବଂ ରେତଙ୍ଗ ଛକରୁ ଯାଉଥିବା ମହୁରା ରାସ୍ତା ଆଦି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଅପରପକ୍ଷରେ ଗଙ୍ଗପଡ଼ା ମେଳଣ ପଡ଼ିଆରେ ଥିବା ଏକ ବହୁ ପୁରୁଣା ବରଗଛ ଉପୁଡ଼ି ପଡ଼ି ଏକ ପକ୍କା ଘର ଉପରେ ପଡ଼ିଯାଇଛି; ତେବେ ଘରର କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ଘର ଭିତରେ ଥିବା ଲୋକମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା, ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଗଛର ଡାଳ ଅସୁରକ୍ଷିତ ଭାବେ ଝୁଲିରହିବା ଏବଂ ୩୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବାରୁ ଯାଁଳା ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ପହଞ୍ଚି ଗଛ କାଟିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିଥିଲେ। ସାମାନ୍ୟ ବାତ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ବଜାରଘାଟ ଶୂନ୍ଶାନ୍ ହୋଇପଡ଼ିଛି।