ଭୁବନେଶ୍ୱର: ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଗଭୀର ଅବପାତ ପ୍ରଳୟ ରଚିଛି। ଲଗାଣ ବର୍ଷା ଏବଂ ପବନ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାଲକାନଗିରି ଜିଲ୍ଲାରେ ୩ ଦିନର ଲଗାଣ ବର୍ଷା ପରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ଘଟି ବିଶାଖାପାଟଣାକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେହିପରି କୋରକୁଣ୍ଡା ବ୍ଲକ ବାୟାପଡ଼ା ଘାଟି ନିକଟରେ ରାସ୍ତା ଧୋଇଯିବା ଫଳରେ ୪ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ କାଙ୍ଗରକୁଣ୍ଡାସ୍ଥିତ ଏମବି-୯୦ ଏବଂ ଏମବି-୯୬ ପୋଲ ଉପରେ ଅବିରତ ବର୍ଷାପାଣି ଚାଲିଛି। ବର୍ଷା ଯୋଗୁଁ ଜିଲ୍ଲାର ୬ଟି ବ୍ଲକର ୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ବାଲିମେଳା ନୀଳାଦ୍ରିନଗରରେ ଆପ୍ରୋଚ୍ ରାସ୍ତା ଧୋଇଯାଇଛି।
ଅପରପକ୍ଷରେ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇପଡ଼ିଛି। ଜୟପୁର-ବରଗାଁ-କୁନ୍ଦୁରା ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶହ ଶହ ଏକର ଚାଷଜମି ଜଳମଗ୍ନ ହେବା ସହ ଜୟପୁର ସହରରେ ଗଛ ଉପୁଡ଼ି ପଡ଼ିଥିଲା, ଯାହାକୁ ଅଗ୍ନିଶମ ଓ ଓଡ଼୍ରାଫ ଟିମ୍ ସଫା କରିଛନ୍ତି। କୋରାପୁଟ-ରାୟଗଡ଼ା ରେଳପଥରେ ପଥର ଓ ମାଟି ଅଜଡ଼ା ଧସିବାରୁ ସିକରପାଇ ଷ୍ଟେସନରେ ଇଣ୍ଟରସିଟି ଏବଂ କେଉଟଗୁଡ଼ା ଷ୍ଟେସନରେ ହିରାଖଣ୍ଡ ଏକ୍ସପ୍ରେସ ଅଟକି ରହିଥିଲା। ବୋରିଗୁମ୍ମା ବ୍ଲକ କାଠରଗଡ଼ା ଗ୍ରାମରେ ୨୦ଟି ଘର ଭାଙ୍ଗି ଛନ୍ଛତର ହୋଇଯାଇଛି।
ନବରଙ୍ଗପୁର ଜିଲ୍ଲାର ସ୍ଥିତି ମଧ୍ୟ ଅତ୍ୟନ୍ତ ବିଗିଡ଼ି ଯାଇଛି। କୋଷାଗୁମୁଡ଼ାର ଘାଟବାସୁଲି ଗ୍ରାମ ଜଳବନ୍ଦୀ ହୋଇଥିବାରୁ ଓଡ଼୍ରାଫ ଟିମ୍ ମୁତୟନ ହୋଇ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖିଛନ୍ତି। ଉମରକୋଟ, ଜୁନାପାଣି ଏବଂ ଝରିଗାଁ ବ୍ଲକରେ ବହୁ କଚାଘର ମାଟିରେ ମିଶିଯାଇଛି। ଝରିଗାଁ-ଚଚା ମୁଖ୍ୟ ରାସ୍ତା କଲେଗାଁ ନଦୀ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି।
ବ୍ରହ୍ମପୁର ସହରର ବିଜିପୁର, ଚର୍ଚ୍ଚ ରୋଡ୍, କମାପଲ୍ଲୀ ଓ କୋର୍ଟ ରୋଡ୍ ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ତାହାକୁ ହଟାଇଛନ୍ତି। ଛତ୍ରପୁର, ଖଲ୍ଲିକୋଟ, ବେଗୁନିଆପଡ଼ା, ଗଞ୍ଜାମ, ଆସିକା ଏବଂ ସୋରଡ଼ା ଅଞ୍ଚଳର ମୁଖ୍ୟ ରାସ୍ତାଗୁଡ଼ିକରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ମୟୂରଭଞ୍ଜ ଜିଲ୍ଲା ଉଦଳା ନହରପଦା ଗ୍ରାମରେ ପାଣି ସୁଅରେ ଭାସିଯାଇଥିବା କାର୍ରୁ ୨ ଜଣ ଯାତ୍ରୀଙ୍କୁ ୨ ଘଣ୍ଟାର ସଂଘର୍ଷ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥ ନାଲୁହା ପୋଲ ଉପରେ ବନ୍ୟା ଜଳରେ ଫସିଥିବା ଅନ୍ୟ ଏକ କାର୍କୁ ଦମକଳ ବାହିନୀ ଉଦ୍ଧାର କରିଛି। କେନ୍ଦୁଝର ଜିଲ୍ଲାର ଜୁଡ଼ିଆ ଘାଟିରେ ଭୂସ୍ଖଳନ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ଅବପାତ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଇନ୍ଦ୍ରାବତୀ ପ୍ରକଳ୍ପ ଓ ମୁରାନ ଡ୍ୟାମର ଗେଟ୍ ଫିଟିବା ପରେ କୋଟପାଡ଼ ବ୍ଲକରେ ଗମ୍ଭୀର ବନ୍ୟା ପରିସ୍ଥିତି ଉପୁଜିଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିରିପୁର ଅଞ୍ଚଳରେ ହାତୀନଦୀର ଜଳ ଗ୍ରାମବାସୀଙ୍କୁ ବନ୍ଦୀ କରିଦେଇଛି। ଗଞ୍ଜାମରେ ଋଷିକୂଲ୍ୟା ନଦୀ ଫୁଲି ପୁରୁଷୋତ୍ତମପୁର ନିକଟରେ ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ଆସିକା ବ୍ରାହ୍ମଣଛାଇରେ ଘାଇ ଯୋଗୁଁ ବାଘୁଆ ନଦୀ ପାଣି ଗାଁ ଭିତରେ ମାଡ଼ିଯାଇଛି।
ପୂର୍ବ ଓଡ଼ିଶାର ଯାଜପୁର ଦଶରଥପୁରଠାରେ କାଣୀନଦୀର ବନ୍ୟା ପାଣି ମାଡ଼ରେ ମରାମତି ଘାଇ ଧସିଯାଇ ୩ଟି ପଞ୍ଚାୟତରେ ଜଳ ପଶିଛି। ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା, ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ଚତୁର୍ଥ ଥର ପାଇଁ ବନ୍ୟା ଆଶଙ୍କା ଦେଖାଦେଇଛି, ଯାହାଦ୍ୱାରା ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀ ନଦୀ ପାଣି ଉଛୁଳୁଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଅବପାତ ବରଗଡ଼ ଦେଇ ଛତିଶଗଡ଼ ମୁହାଁଇଥିବାରୁ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି ଯେ, ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୯.୬ ମିଟରରେ ପହଞ୍ଚିବା ଆଶଙ୍କା ରହିଛି। ସେହିପରି ମଥାନୀ ଏବଂ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ଗାଲୁଡିହରୁ ୨୮୦୦ କ୍ୟୁସେକ ପାଣି ଆସୁଥିବାରୁ ଶନିବାର ସକାଳ ସୁଦ୍ଧା ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଛୁଇଁପାରେ।