ବାଲେଶ୍ୱର, ୨୫/୯(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଟିଆଖିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୩ ଲକ୍ଷ ୬୯ ହଜାର ଟଙ୍କା ଅନୁମୋଦନ କରାଯାଇଛି। ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତଙ୍କ ନିରନ୍ତର ପ୍ରୟାସ ଓ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣର ଫଳସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଟିଆଖିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ବର୍ତ୍ତମାନର କାର୍ଯ୍ୟାଳୟ ଗୃହର ଅବସ୍ଥା ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜନସାଧାରଣଙ୍କ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକୁ ଅଧିକ ସୁବିଧାଜନକ, ସୁସଂଗଠିତ ଓ ଦ୍ରୁତ କରିବା ସହିତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ଉପଯୁକ୍ତ କାର୍ଯ୍ୟ ପରିବେଶ ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।
ବିଧାୟକଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ନିରନ୍ତର ଉଦ୍ୟମ ପରେ ସରକାରଙ୍କ ପକ୍ଷରୁ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ୯୩,୬୯,୦୦୦ ଟଙ୍କାର ଅନୁମୋଦନ କରାଯାଇଛି। ଏହା ଫଳରେ ଟିଆଖିଆ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଏକ ଆବଶ୍ୟକତା ପୂରଣ ହେବାର ପଥ ପ୍ରଶସ୍ତ ହୋଇଛି। ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ହେବା ପରେ ଜମିଜମା, ରାଜସ୍ୱ, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜମି ସମ୍ବନ୍ଧୀୟ ବିଭିନ୍ନ ରେକର୍ଡ ଓ ଅନ୍ୟାନ୍ୟ ରାଜସ୍ୱ ସେବା ପାଇଁ ଆସୁଥିବା ଲୋକମାନେ ଅଧିକ ସୁବିଧା ପାଇପାରିବେ। ଏହା ସହିତ ରାଜସ୍ୱ ବିଭାଗୀୟ କାର୍ଯ୍ୟର ସୁଚାରୁ ପରିଚାଳନାରେ ମଧ୍ୟ ଏହି ନୂତନ ଭିତ୍ତିଭୂମି ସହାୟକ ହେବ।
ଏହି ଅନୁମୋଦନ ପାଇଁ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ କହିଛନ୍ତି ଯେ, ବାଲେଶ୍ୱର ସଦର ଅଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ଓ ପ୍ରଶାସନିକ ସୁବିଧାକୁ ପ୍ରାଥମିକତା ଦେଇ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଜାରି ରହିବ। ଟିଆଖିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ମିଳିଥିବା ଏହି ଅନୁମୋଦନ ବାଲେଶ୍ୱର ସଦରର ପ୍ରଶାସନିକ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।