ଅବିଶ୍ରାନ୍ତ ବର୍ଷାରେ କଳିଙ୍ଗା ଘାଟିରେ ଭୂସ୍ଖଳନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ

0

ଜି.ଉଦୟଗିରି:ଅବିଶ୍ରାନ୍ତ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଦେଖାଦେଇଛି ଭୂସ୍ଖଳନ। ଘାଟିର ଅନ୍ଧାରିକୋଟ ନିକଟରେ ନିର୍ମାଣାଧୀନ ସୁରକ୍ଷା ପ୍ରାଚୀର ଧସିଯିବା ପରେ ଏହି ରାସ୍ତାରେ ଯାତାୟାତ ପୁଣିଥରେ ବିଚ୍ଛିନ୍ନ ହୋଇଛି। ଆଗକୁ ମଧ୍ୟ ବର୍ଷା ଜାରି ରହିବା ସହ ଭୂସ୍ଖଳନର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ କରାଯାଇଛି।ଚଳିତ ବର୍ଷାକୁ ନେଇ ଭୂସ୍ଖଳନ ଆଶଙ୍କା ଥିବାରୁ ପୂର୍ବରୁ ଦୁଇ ଦିନ ପାଇଁ ଘାଟି ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ତେବେ ଦୁଇ ଦିନ ଧରି ପ୍ରବଳ ବର୍ଷା ପରେ ଅନ୍ଧାରିକୋଟ ନିକଟରେ ପ୍ରଶସ୍ତୀକରଣ କାମ ଚାଲିଥିବା ସୁରକ୍ଷା ପ୍ରାଚୀରର ଏକ ବଡ଼ ଅଂଶ ଧସିଯାଇଛି। ଆଉ କିଛି ଅଂଶ ମଧ୍ୟ ଧସିବା ଅବସ୍ଥାରେ ଥିବାରୁ ଏହି ରାସ୍ତାରେ ଯାତାୟାତକୁ ସୁରକ୍ଷିତ ମନେ କରାଯାଉନାହିଁ।

ଏହା ସହ ଗତବର୍ଷ ଭୂସ୍ଖଳନ ହୋଇଥିବା ସ୍ଥାନରେ ଝୁଲି ରହିଥିବା ଏକ ବିରାଟକାୟ ପଥର ଗୁରୁବାର ଅପରାହ୍ନରେ ଖସି ରାସ୍ତା ଅବରୋଧ କରିଛି। ଫଳରେ ଘାଟିରେ ବିପଦ ଆହୁରି ବଢ଼ିଛି।ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ପ୍ରବେସନର ଜସକରଣ ସିଂ, ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଓ ଥାନା ଅଧିକାରୀ ବିଜୟ କୁମାର ମିଶ୍ର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

ଗତବର୍ଷ ମଧ୍ୟ ଏହି ସମୟରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା। ରାସ୍ତା ସ୍ୱାଭାବିକ ହେବାକୁ ପ୍ରାୟ ୪୭ ଦିନ ସମୟ ଲାଗିଥିବାରୁ ଏଥର ମଧ୍ୟ ସ୍ଥିତି ନେଇ ଚିନ୍ତା ବଢ଼ିଛି। ଦୀର୍ଘ ସମୟ ଯାତାୟାତ ବନ୍ଦ ରହିଲେ ଅଞ୍ଚଳବାସୀଙ୍କ ଜୀବନଯାପନ ଓ ଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି।

ଅନ୍ୟପକ୍ଷରେ, ଧସିଥିବା ସୁରକ୍ଷା ପ୍ରାଚୀର ସ୍ଥାନରେ ବର୍ଷ ବର୍ଷ ଧରି କାମ ଚାଲିଥିଲେ ମଧ୍ୟ ବାରମ୍ବାର ଧସିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହା ସହ କଳିଙ୍ଗା ଘାଟି ପାଇଁ ଏକ ବିକଳ୍ପ ରାସ୍ତା ନିର୍ମାଣ ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏହା ଉପରେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ନେଇ ଆଲୋଚନା ହେଉଛି। ବର୍ତ୍ତମାନ ଘାଟିର ସ୍ଥିତିକୁ ଶୀଘ୍ର ସ୍ୱାଭାବିକ କରିବା କିମ୍ବା ବିକଳ୍ପ ଯାତାୟାତ ବ୍ୟବସ୍ଥା କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

Leave A Reply

Your email address will not be published.