୨୫ରେ ବି ଭୀଷଣ ବର୍ଷିବ! ଚେତାବନୀ ଜାରିକଲା ପାଣିପାଗ ବିଭାଗ

0

ଭୁବନେଶ୍ୱର :ବଙ୍ଗୋପସାଗରରୁ ସୃଷ୍ଟ ଅବପାତ ଗତ ଦୁଇଦିନ ହେବ ଓଡ଼ିଶାକୁ ଜଳମଗ୍ନ କରି ରଖିଛି । ଅଧିକାଂଶ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଅବପାତ ଏବେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ଥିବାରୁ ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷ ସହ ଦଲକା ପବନ ମଧ୍ୟ ହେଉଛି । ରାୟଗଡାଠାରୁ ୮୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ କୋରାପୁଟଠାରୁ ୯୦ କିମି ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଏବେ ଏହା କେନ୍ଦ୍ରୀଭୂତ ଅଛି । ଯାହା ଫଳରେ ସେଠାରେ ମୂଶଳ ଧାରାରେ ଅବର୍ଷା ଅବ୍ୟାହତ ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ତୀବ୍ର ପବନ ମଧ୍ୟ ଲାଗି ରହିଛି । ଗୋପାଳପୁରରେ ଘଂଟାପ୍ରତି ୭୧, ପୁରୀରେ ୬୫, ଭୁବନେଶ୍ୱରରେ ୫୩, ଏବଂ ବାଲେଶ୍ୱରରେ ଘଂଟାପ୍ରତି ପବନର ବେଗ ୪୨ କିଲୋମିଟର ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ୨୪ ତାରିଖ ମଧ୍ୟରାତ୍ର ସୁଦ୍ଧା ଏହା ଅବପାତରେ ପରିଣତ ହୋଇ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେବ । ତେବେ ଶୁକ୍ରବାର ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟ ଜିଲାକୁ ରେଡ୍ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଏବଂ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.