ଜଳେଶ୍ୱରରେ ଉଦଘାଟିତ ହେଲା ଟିପିଏନଓଡିଏଲ୍‌ର ନୂତନ ମିଟରିଂ ଷ୍ଟୋର

ସ୍ଥାନୀୟ ଉପଭୋକ୍ତାଙ୍କୁ ମିଳିବ ତ୍ୱରିତ ମିଟର ସେବା ଓ ସହାୟତା; ରାଜ୍ୟରେ ପଞ୍ଚମ ଷ୍ଟୋର କାର୍ଯ୍ୟକ୍ଷମ

0
ବାଲେଶ୍ୱର, ୨୩ ସେପ୍ଟେମ୍ବର(କୃଷ୍ଣ କୁମାର ମହାନ୍ତି): ଉପଭୋକ୍ତାଙ୍କୁ ଅଧିକ ସୁବିଧାଜନକ ଓ ଗୁଣାତ୍ମକ ମିଟର ସେବା ଯୋଗାଇବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନଓଡିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଏକ ନୂତନ ମିଟରିଂ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି।
ଟିପିଏନଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀଙ୍କ ସମେତ ଟାଟା ପାୱାରର ବିଜନେସ୍‌ ଏଚ୍‌ଆର୍‌-ଟି ଆଣ୍ଡ ଡି କ୍ଲଷ୍ଟରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରଣବୀର ଚକ୍ରବର୍ତ୍ତୀ, ବାଣିଜ୍ୟିକ ତଥା ବିଜନେସ୍‌ ଏକ୍ସେଲେନ୍ସ ମୁଖ୍ୟ ଶୁଭଦୀପ ରାୟଚୌଧୁରୀ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରମେନ୍ଦ୍ର ବଣିକ, ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ରାୟ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରାଯାଇଥିଲା।
ଉପଭୋକ୍ତାଙ୍କ ନିକଟରେ ସହଜରେ ମିଟର ସମ୍ବନ୍ଧୀୟ ସେବା ପହଞ୍ଚାଇବା ପାଇଁ ଟିପିଏନଓଡିଏଲ୍‌ ଏହାର ସମସ୍ତ ବିଦ୍ୟୁତ ଡିଭିଜନ ଅଞ୍ଚଳରେ ମିଟରିଂ ଷ୍ଟୋର ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଏହି କ୍ରମରେ ବାଲେଶ୍ୱରର ବାଲିଆ, କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଆନନ୍ଦପୁର ଏବଂ ମୟୂରଭଞ୍ଜର ରାଇରଙ୍ଗପୁରରେ ଷ୍ଟୋର ପ୍ରତିଷ୍ଠା ପରେ ଜଳେଶ୍ୱରରେ ପଞ୍ଚମ ଷ୍ଟୋର କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ଦିନରେ ଅନ୍ୟ ଡିଭିଜନରେ ମଧ୍ୟ ଏଭଳି ଷ୍ଟୋର ସ୍ଥାପନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଉଦ୍‌ଘାଟନ ଅବସରରେ ସିଇଓ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଥିଲେ ଯେ, ଟିପିଏନଓଡିଏଲ୍‌ ଉପଭୋକ୍ତାକେନ୍ଦ୍ରିକ ବିଦ୍ୟୁତ ସେବା ଯୋଗାଇବା ସହ ସୁରକ୍ଷାକୁ ପ୍ରାଥମିକତା ଦେଇ ଏକ ସୁଦୃଢ଼ ବିଦ୍ୟୁତ ବିତରଣ ନେଟୱର୍କ ଗଠନ ପାଇଁ ପ୍ରତିବଦ୍ଧ। ମିଟରିଂ ଷ୍ଟୋରଗୁଡ଼ିକ ମାଧ୍ୟମରେ ସ୍ୱଚ୍ଛ, ସଠିକ୍‌ ଓ ଦକ୍ଷ ମିଟରିଂ ସେବା ସହିତ ସ୍ଥାନୀୟ ସ୍ତରରେ ମିଟର ଯାଞ୍ଚ ଓ ସମ୍ବନ୍ଧୀୟ ସମସ୍ୟାର ଦ୍ରୁତ ସମାଧାନ ସମ୍ଭବ ହେବ।
ଏହି ମିଟରିଂ ଷ୍ଟୋରଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ମିଟର ସେବା କେନ୍ଦ୍ର ଭାବେ ବିକଶିତ କରାଯାଇଛି। ଏଠାରେ ଉପଭୋକ୍ତାମାନେ ମିଟର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇପାରିବେ। ପ୍ରତ୍ୟେକ ଷ୍ଟୋରରେ ‘ଅବଲୋକନ’ ନାମକ ଏକ ଆଧୁନିକ ଟେଷ୍ଟିଂ ବେଞ୍ଚ୍ ରହିଛି। ଏହା ମାଧ୍ୟମରେ ମିଟରର ସଠିକତା ଆଧୁନିକ ପଦ୍ଧତିରେ ଯାଞ୍ଚ କରାଯାଇପାରିବ।
ମିଟରର ସଠିକତା ଯାଞ୍ଚ ବ୍ୟବସ୍ଥା ଉପଭୋକ୍ତାଙ୍କ ମଧ୍ୟରେ ବିଲିଂ ପ୍ରକ୍ରିୟା ପ୍ରତି ବିଶ୍ୱାସ ବଢ଼ାଇବା ସହ ମିଟର ଓ ବିଲିଂ ସମ୍ବନ୍ଧୀୟ ବିବାଦ ହ୍ରାସ କରିବାରେ ସହାୟକ ହେବ ବୋଲି ଟିପିଏନଓଡିଏଲ୍‌ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Leave A Reply

Your email address will not be published.