Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର, ୨୧/୦୯ (କୃଷ୍ଣ କୁମାର ମହାନ୍ତି): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)-୨୦୨୬ ପ୍ରକ୍ରିୟା ଶେଷ ହେବା ପରେ ବାଲେଶ୍ୱର ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ସନ୍ଧ୍ୟା ୫ଟାରେ ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ୧୮,୧୧,୫୧୭ ଜଣ ଭୋଟର ରହିଛନ୍ତି। ଏଥିରେ ୯,୨୯,୪୬୬ ଜଣ ପୁରୁଷ, ୮,୮୧,୯୯୦ ଜଣ ମହିଳା ଓ ୬୧ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଡ୍ରାଫ୍ଟ ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ୭,୮୮୯ ଜଣ ଭୋଟର ବୃଦ୍ଧି ପାଇଛନ୍ତି।
ଜିଲ୍ଲାର ୨,୪୧୫ଟି ମତଦାନ କେନ୍ଦ୍ରରେ ୨,୪୧୫ ଜଣ ବୁଥ୍ସ୍ତରୀୟ ଅଧିକାରୀ (ବିଏଲଓ) ଓ ୨୪୨ ଜଣ ବିଏଲଓ ସୁପରଭାଇଜରଙ୍କ ମାଧ୍ୟମରେ ସଂଶୋଧନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏହାସହ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ୮ ଜଣ ଇଆରଓ, ୩୪ ଜଣ ଏଇଆରଓ ଓ ସମ୍ପୃକ୍ତ କର୍ମଚାରୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଏହି ପ୍ରକ୍ରିୟାରେ କାର୍ଯ୍ୟ କରିଥିଲେ।
ପ୍ରି-ଡ୍ରାଫ୍ଟ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୮,୯୭,୨୭୭ ଜଣ ଭୋଟରଙ୍କ ମଧ୍ୟରୁ ୧୮,୨୮,୬୭୪ ଜଣଙ୍କର ମ୍ୟାପିଂ କରାଯାଇଥିଲା। ୬୮,୬୦୩ ଜଣଙ୍କର ମ୍ୟାପିଂ ହୋଇନଥିଲା। ଦାବି ଓ ଆପତ୍ତି ଅବଧିରେ ମୋଟ ୨,୭୨,୬୬୧ଟି ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏସଆଇଆର ସମୟରେ ଫର୍ମ-୬ ମାଧ୍ୟମରେ ୧୩,୪୮୯ଟି ନୂଆ ନାମ ଅନ୍ତର୍ଭୁକ୍ତି ଏବଂ ଫର୍ମ-୭ ମାଧ୍ୟମରେ ୨୬,୫୫୫ଟି ନାମ ବିଲୋପ ପାଇଁ ପ୍ରକ୍ରିୟା କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଅନୁସରଣ କରି ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ/ଅନୁସନ୍ଧାନଯୋଗ୍ୟ ନଥିବା ଏବଂ ଡୁପ୍ଲିକେଟ୍ ଏଣ୍ଟ୍ରିଗୁଡ଼ିକର ଯାଞ୍ଚ କରାଯାଇଥିଲା।
ଯୁବ ଓ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କ ପଞ୍ଜୀକରଣ ଉପରେ ମଧ୍ୟ ପ୍ରକ୍ରିୟା ସମୟରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଡ୍ରାଫ୍ଟ ତାଲିକାରେ ଯୁବ ଭୋଟରଙ୍କ ସଂଖ୍ୟା ୧୦,୬୨୬ ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୧୫,୬୫୭କୁ ବୃଦ୍ଧି ପାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବାକୁ କୁହାଯାଇଛି। ଭୋଟରମାନେ ଇଲେକସନ କମିଶନର ଭୋଟର ପୋର୍ଟାଲ୍ ମାଧ୍ୟମରେ କିମ୍ବା ନିଜ ମତଦାନ କେନ୍ଦ୍ରରେ ତଥ୍ୟ ଯାଞ୍ଚ କରିପାରିବେ। ସହାୟତା ପାଇଁ ୧୯୫୦ ଟୋଲ୍-ଫ୍ରି ନମ୍ବରରେ ଯୋଗାଯୋଗ କରିହେବ।
ଇଆରଓଙ୍କ ଆଦେଶରେ ଅସନ୍ତୁଷ୍ଟ ବ୍ୟକ୍ତି ଆଇନ ଅନୁଯାୟୀ ଅପିଲ୍ କରିପାରିବେ। ପ୍ରଥମ ଅପିଲ୍ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଏବଂ ଦ୍ୱିତୀୟ ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରାଯାଇପାରିବ।