ଗଜପତି,୧୯.୯ (ମନୋଜ ପାଢ଼ୀ): ଶିକ୍ଷା ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ନୈତିକତାର ପାଠ ପଢ଼ାଇବା ଦାୟିତ୍ୱ ଯାହାଙ୍କ ହାତରେ ସେହି ଶିକ୍ଷକଙ୍କ ଆଚରଣ କୁ ନେଇ ଯଦି ଛାତ୍ରୀଙ୍କ ପକ୍ଷରୁ ଅରୁଚି କର ମନ୍ତବ୍ୟ ର ଅଭିଯୋଗ ଉଠେ ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଅଭିଯୋଗ ଅନୁଯାୟୀ ଗୁମ୍ମା ପି ଏମ ଶ୍ରୀ ମାଧ୍ୟମିକ ବିଦ୍ୟାଳୟର ଏସ୍ଏମ୍ସି ସଭାପତିଙ୍କ ଝିଅଙ୍କ ପ୍ରତି କେ ଆନନ୍ଦ କୁମାର ଏବଂ ଜି ଲିଙ୍ଗରାଜୁ ଏହି ଦୁଇ ଜଣ ଶିକ୍ଷକ ଅରୁଚିକ ର ମନ୍ତବ୍ୟ ଦେଇଥିବା ନେଇ ପରିବାର ପକ୍ଷରୁ ଆପତ୍ତି ଉଠିଥିଲା।ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପରିସ୍ଥିତି ଗୁରୁତର ରୂପ ନେଇଥିବା ଜଣାପଡ଼ିଛି।


ଖବର ପାଇ ସେରଙ୍ଗ ଥାନା ଅଧିକାରୀ ଏବଂ ଗୁମ୍ମା ଫାଣ୍ଡି ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଶିକ୍ଷକ ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଦ୍ବୟ ନିଜର ଭୁଲ ସ୍ୱୀକାର କରି ସର୍ବ ସମୁଖରେ କ୍ଷମା ମାଗିବା ସହ ଲିଖିତ ଭାବରେ କ୍ଷମାପତ୍ର ଦେଇଥିଲେ ଏବଂ ଭବିଷ୍ୟତରେ ଏଭଳି ଆଚରଣ ପୁନରାବୃତ୍ତି ନକରିବାକୁ ପ୍ରତିଶ୍ରୁତିନାମା ଦେଇଥିଲେ।।ସେହିପରି ଗତମାସ ୨୨ ତାରିଖ ବିଳମ୍ବିତ ରାତିରେ ୯୯ ଜଣ ଅନ୍ତେବାସୀ ଏକକାଳୀନ ଅସୁସ୍ଥ ହୋଇ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଘଟଣା ମଧ୍ୟ ବିଦ୍ୟାଳୟର ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଏହି ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ବିକାଶ ପାଇଁ ଆଧୁନିକ ଶିକ୍ଷଣ ଉପକରଣ ଯୋଗାଇବା ସହ ଆବଶ୍ୟକ ଶିକ୍ଷକ ମଧ୍ୟ ସରକାର ଯୋଗାଇଛନ୍ତି କିନ୍ତୁ ବିଦ୍ୟାଳୟରେ ଏହିଭଳି ଅପ୍ରୀତିକର ପରିସ୍ଥିତି ଘଟୁଥିବାହେତୁ ଶିକ୍ଷକଙ୍କ ବ୍ୟବହାର ଏବଂ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟ ପରିଚାଳନା ଉପରେ ଅଭିଭାବକ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।