ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମଧ୍ୟପ୍ରଦେଶରେ ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ

0

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନାଲଖେଡାସ୍ଥିତ ପ୍ରସିଦ୍ଧ ମା’ ବଗଳାମୁଖୀ ମନ୍ଦିର ନିକଟରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଯାଇଛି। ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ରାସ୍ତା ପାର ହେଉଥିବା ବେଳେ ଏକ ଭଡ଼ା କାର୍ ବର୍ଷାଜଳର ପ୍ରବଳ ସ୍ରୋତରେ ଭାସିଯାଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ସମେତ ଗାଡ଼ି ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି।

ମୃତ ଓଡ଼ିଆ ଶ୍ରଦ୍ଧାଳୁମାନେ ହେଲେ ଶିବ ପ୍ରସାଦ ବେହେରା, କୃଷ୍ଣ ରାଜବୀର, ସାଇରା ସୋନପ୍ରଭା, ଜ୍ଞାନେନ୍ଦ୍ର ବେହେରା, ରୀତାରାଣୀ ବେହେରା, ବି. ସାଇ ସ୍ୱସ୍ତିକ ଏବଂ ରାଧାରାଣୀ ବେହେରା। ପରିବାରର ଜଣେ ଝିଅଙ୍କ ମୁଦି ପିନ୍ଧା ଉତ୍ସବ ପାଇଁ ଏହି ପରିବାର ଉଜ୍ଜୟିନୀ ଆସିଥିଲେ। ସେଠାରୁ ଏକ କାର୍ ଭଡ଼ାରେ ନେଇ ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ନାଲଖେଡା ଯାଇଥିଲେ।

ଗତ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୩.୭ ଇଞ୍ଚ ବର୍ଷା ହୋଇଥିବାରୁ ମନ୍ଦିର ସାମ୍ନାରେ ଥିବା ନାଳରେ ପାଣିର ସ୍ତର ବୃଦ୍ଧି ପାଇଥିଲା। ଦର୍ଶନ ସାରି ଫେରୁଥିବା ସମୟରେ ଚାଳକ ଜଣକ ଦ୍ରୁତ ଗତିରେ ପ୍ରବଳ ଜଳସ୍ରୋତ ମଧ୍ୟ ଦେଇ ଗାଡ଼ି ନେବାକୁ ଚେଷ୍ଟା କରିବାରୁ କାର୍‌ଟି ନାଳରେ ଭାସିଯାଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ବାହାର କରିଥିଲେ ବି ସେତେବେଳକୁ ସମସ୍ତଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଶୋଚନୀୟ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତଦେହଗୁଡ଼ିକୁ ଓଡ଼ିଶା ଫେରାଇ ଆଣିବା ଏବଂ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.