ବାଲେଶ୍ୱର, ୧୮ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ଷ୍ଟେସନରେ ଅସୁରକ୍ଷିତ ଅବସ୍ଥାରେ ଏକାକୀ ବୁଲୁଥିବା ୧୩ ବର୍ଷୀୟ ଜଣେ ନାବାଳକକଙ ରେଳ ସୁରକ୍ଷା ବଳ (ଆରପିଏଫ୍), ବାଲେଶ୍ୱର ଷ୍ଟେସନରୁ ଉଦ୍ଧାର କରିଛି।
ପ୍ଲାଟଫର୍ମ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ଡ୍ୟୁଟି ସମୟରେ ଆରପିଏଫ୍ ଯବାନମାନେ ପ୍ଲାଟଫର୍ମ ନମ୍ବର ୦୩/୦୪ର ଖଡ଼ଗପୁର ପାର୍ଶ୍ୱରେ ଥିବା ଏକ ବେଞ୍ଚ୍ ଉପରେ ଏକାକୀ ବସିଥିବା ନାବାଳକକୁ ଦେଖିଥିଲେ। ତାଙ୍କ ପାଖରେ କୌଣସି ସାମଗ୍ରୀ ନଥିବା ବେଳେ ତାଙ୍କ ଗତିବିଧି ନେଇ ଯବାନମାନଙ୍କର ସନ୍ଦେହ ହୋଇଥିଲା।
ପଚରାଉଚରା ସମୟରେ ନାବାଳକ ଜଣକ ପ୍ରଥମେ ଷ୍ଟେସନରେ ତାଙ୍କ ଉପସ୍ଥିତିର ସନ୍ତୋଷଜନକ କାରଣ କହିପାରିନଥିଲେ। ପରେ କାଉନସେଲିଂ ଓ ସହାନୁଭୂତିପୂର୍ଣ୍ଣ ଆଲୋଚନା ପରେ ସେ ଭୟରେ ଘର ଛାଡ଼ି ଆସିଥିବା କହିଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କ ବାପା ମଦ୍ୟପାନରେ ଆସକ୍ତ। ସେ ଚାକିରି ଖୋଜିବା ଉଦ୍ଦେଶ୍ୟରେ ବାଲେଶ୍ୱର ଆସିଥିବା ମଧ୍ୟ କହିଥିଲେ।
ଆରପିଏଫ୍ ଯବାନମାନେ ନାବାଳକକୁ ବୁଝାଇବା ସହ ସାନ୍ତ୍ୱନା ଦେଇଥିଲେ ଏବଂ ତାର ପରିଚୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ପ୍ରାୟ ୧୩ ବର୍ଷୀୟ ନାବାଳକ ଜଣକ ନିଜକୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ପାଲସା ଅଞ୍ଚଳର ବାସିନ୍ଦା ବୋଲି କହିଥିଲା।
ଏହାପରେ ଆରପିଏଫ୍ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ରେଳ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦେଇଥିଲା। ଚାଇଲ୍ଡ ହେଲ୍ପଲାଇନର ପ୍ରତିନିଧିମାନେ ବାଲେଶ୍ୱର ଆରପିଏଫ୍ ପୋଷ୍ଟରେ ପହଞ୍ଚିଥିଲେ। ପରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ନାବାଳକଙ୍କୁ ଶିଶୁ ସୁରକ୍ଷା ସମିତି (ସିଡବ୍ଲ୍ୟୁସି), ବାଲେଶ୍ୱରଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ଚାଇଲ୍ଡ ହେଲ୍ପଲାଇନ ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ଆରପିଏଫ୍ର ତ୍ୱରିତ ପଦକ୍ଷେପ ଯୋଗୁଁ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଉପଯୁକ୍ତ ଶିଶୁ ସୁରକ୍ଷା ବ୍ୟବସ୍ଥା ଅଧୀନକୁ ଅଣାଯାଇପାରିଛି। ରେଳ ପରିସରରେ ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ସମୟୋଚିତ ସହାୟତା ପ୍ରଦାନ କରିବା ନେଇ ଆରପିଏଫ୍ ନିଜର ପ୍ରତିବଦ୍ଧତା ଦୋହରାଇଛି।
Comments are closed.