କଥାକାର କଇଳାଶ ପଟ୍ଟନାୟକ ପାଇବେ ପ୍ରଜାପତି ପକ୍ଷରୁ ପ୍ରଦତ୍ତ ‘ଅକ୍ଷର କଥାକାର ସମ୍ମାନ’

0
ବାଲେଶ୍ୱର, ୧୮/୦୯ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା ସାଙ୍ଗକୁ ଲୋକକଥା ଓ ଭ୍ରମଣ କାହାଣୀରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁପ୍ରସିଦ୍ଧ କଥାକାର ଡକ୍ଟର କଇଳାଶ ପଟ୍ଟନାୟକ ଚଳିତବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ସମ୍ମାନ ବାଲେଶ୍ୱରର ଶିକ୍ଷା ଓ ଜ୍ଞାନର ଅନୁଷ୍ଠାନ ‘ପ୍ରଜାପତି’ର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ଏକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ।
ଚଳିତ ମାସ ୨୭ ତାରିଖ ରବିବାର ସନ୍ଧ୍ୟାରେ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ ବିଶିଷ୍ଟ କଥାକାର ଡକ୍ଟର ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ଏ ବାବଦରେ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ନଗଦ ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନପୂର୍ବକ ଏକ ଭବ୍ୟ ନାଗରିକ ସମ୍ବଦ୍ଧନାର ଆୟୋଜନ କରାଯାଇ ସମ୍ମାନିତ କରାଯିବ। ତାଙ୍କର ୯ଟି ଗଳ୍ପ ସଂକଳନ ସମେତ ଉପନ୍ୟାସ, ସମାଲୋଚନା, ଅନୁବାଦ, ସଂପାଦନା ଓ ଗବେଷଣା କାର୍ଯ୍ୟରେ ବ୍ରତୀ ରହିଥିବା ଡକ୍ଟର ପଟ୍ଟନାୟକ ତାଙ୍କର ଦୀର୍ଘବର୍ଷର ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅଧ୍ୟାପନା କାର୍ଯ୍ୟରେ ଥାଇ ଶାନ୍ତିନିକେତନରୁ ଅବସର ଗ୍ରହଣ କରିଛନ୍ତି ରିଛନ୍ତି। ନିଜର କଥାସାହିତ୍ୟ ରଚନାରେ ବିଶେଷତ୍ୱ ଜାହିର କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସଂଗେସଂଗେ ସେ ଗଳ୍ପ ପିପାସୁ ପାଠକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।
ବିଗତ ବର୍ଷମାନଙ୍କରେ କଥାଶିଳ୍ପୀ ଆର୍ଯ୍ୟ ଯଜ୍ଞଦତ୍ତ ( ୨୦୨୩), କଥାକାର ପ୍ରଦୋଷ ମିଶ୍ର ( ୨୦୨୪), କଥାକାର ଓ ଔପନ୍ୟାସିକ ପଦ୍ମଜ ପାଳ (୨୦୨୫) ଏ ସମ୍ମାନ ପ୍ରାପ୍ତ ହୋଇ ଅନୁଷ୍ଠାନର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ, ଆବାହକ ବିପ୍ଳବ ଦାସ ମହାପାତ୍ର ଓ ସଂପାଦକ ରାଜେଶ ଗିରି ପ୍ରକାଶ କରିଛନ୍ତି।
Leave A Reply

Your email address will not be published.