ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

0

କଟକ: ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ସିଲଭର ସିଟି କଟକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କଟକର ବିଶ୍ୱପ୍ରସିଦ୍ଧ ଚାନ୍ଦି ମେଢଗୁଡ଼ିକର ଚମକ ଫେରାଇ ଆଣିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାନ୍ଦି ଅଳଙ୍କାର ସଫେଇ ଓ ମରାମତି କାମ ଜୋରଦାର ଆରମ୍ଭ ହୋଇଯାଇଛି।

ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସମେତ ବିଭିନ୍ନ ମଣ୍ଡପରେ ମା’ଙ୍କ ମୁକୁଟ, ସିଂହାସନ, କିରିଟି, ବାହୁଟି, ପଦ୍ମଫୁଲ ହାର, ହାତୀ ଓ ମୟୂର ଆଦି ଅଳଙ୍କାରର ସଫେଇ କାର୍ଯ୍ୟ ଚାଲିଛି। ମାନସିଂହପାଟଣା ଅଞ୍ଚଳର କାରିଗରମାନେ ମୁଖ୍ୟତଃ ଏହି ନିପୁଣ କାର୍ଯ୍ୟ କରୁଛନ୍ତି। ପ୍ରାୟ ୩ କୁଇଣ୍ଟାଲ ଓଜନର ଚାନ୍ଦି ଅଳଙ୍କାରକୁ ରିଠାଫଳ ଓ ତେଜାବ ସାହାଯ୍ୟରେ ସଫା କରିବା ସହ ଭଙ୍ଗା ଅଂଶଗୁଡ଼ିକୁ ଝଳେଇ କରିବା ପାଇଁ ୪ରୁ ଅଧିକ କାରିଗରଙ୍କୁ ପ୍ରାୟ ୧୦ ଦିନ ସମୟ ଲାଗୁଥିବା କାରିଗରମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏଥର ସହରର ୧୭୨ଟି ପୂଜାମଣ୍ଡପରେ ମା’ଙ୍କ ଆରାଧନା କରାଯିବ। ପୂଜା କମିଟିଗୁଡ଼ିକର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ହୋଇଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏଥର ଅନଲାଇନ୍ ଆବେଦନ ବ୍ୟବସ୍ଥା କରାଯାଉଛି, ଯାହାଦ୍ୱାରା ପୂଜା କମିଟିଗୁଡ଼ିକ ଘରେ ବସି ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଦ୍ୟୁତ ସଂଯୋଗ ଓ ଭସାଣି ଶୋଭାଯାତ୍ରା ପାଇଁ ଅନୁମତି ପାଇପାରିବେ। ଏହାସହ ମଣ୍ଡପଗୁଡ଼ିକରେ ଅଗ୍ନି ନିରାପତ୍ତା, ବିଦ୍ୟୁତ ସୁରକ୍ଷା ଏବଂ ଭସାଣି ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.