ଗଜପତି ,୧୧.୯(ମନୋଜ ପାଢ଼ୀ )-:ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅଭିଯାନକୁ ଜୋରଦାର କରାଯାଉଛି । ‘ଏକ ପେଡ୍ ମା କେ ନାମ’ ଭଳି ଅଭିଯାନ ମାଧ୍ଯମରେ ଲକ୍ଷ ଲକ୍ଷ ଚାରା ରୋପଣ ପାଇଁ ଆହ୍ୱାନ ଦିଆଯାଉଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ବିଶାଳ ଓ ପୁରୁଣା ଗଛ କାଟିବାକୁ ଅନୁମତି ମିଳୁଥିବା ଅଭିଯୋଗ ଏବେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। ମହେନ୍ଦ୍ର ବନାଞ୍ଚଳରେ ଥିବା ଏକ ବିଶାଳ ଗଛକୁ କାଟିବା ପାଇଁ ଅନୁମତି ଦିଆଯାଇଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି । ଗଛଟି ସରକାରୀ ଜମିରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ଦାବି ଥିବାରୁ କେଉଁ ଆଧାରରେ ଏହାକୁ କାଟିବାକୁ ଅନୁମତି ଦିଆଗଲା, ତାହା କୁ ନେଇ ଉଠିଛି ପ୍ରଶ୍ନ । ଫଳରେ ନୂଆ ଗଛ ଲଗାଇବା ପାଇଁ ଅଭିଯାନ, କିନ୍ତୁ ପୁରୁଣା ବିଶାଳ ଗଛ କାଟିବାକୁ ଅନୁମତି ଏହି ଦୁଇ ନୀତି ମଧ୍ୟରେ ସମନ୍ବୟ କେଉଁଠି ? ବୋଲି ପରିବେଶପ୍ରେମୀମାନେ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ଯଦି ଗଛଟି କାଟିବା ଅତ୍ୟାବଶ୍ୟକ ଥିଲା, ତେବେ ଏହା ପଛରେ ଥିବା ବୈଧ କାରଣ କ’ଣ ? ଜନସ୍ୱାର୍ଥରେ କିମ୍ବା କୌଣସି ଜରୁରୀ ସୁରକ୍ଷା କାରଣରୁ ଗଛ କାଟିବା ଆବଶ୍ୟକ ହୋଇଥିଲେ, ସେ ସମ୍ପର୍କରେ ପ୍ରଶାସନ ସ୍ପଷ୍ଟତଥ୍ୟ ଦେବା ଆବଶ୍ୟକ ବୋଲି ଦାବି ହୋଇଛି। ଗଜପତି ଏକ ପାହାଡ଼ିଆ ଓ ଜଙ୍ଗଲଘେରା ଜିଲ୍ଲା। ଏଠାରେ ପ୍ରାକୃତିକ ଜଙ୍ଗଲ ଓ ବଡ଼ ବୃକ୍ଷର ସୁରକ୍ଷା ପରିବେଶୀୟ ସନ୍ତୁଳନ ପାଇଁ ଅତ୍ୟନ୍ତ ଜରୁରୀ। ଏଭଳି ସ୍ଥାନରେ ପୁରୁଣା ଗଛ କାଟିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଓ ଗଛର ଗୁରୁତ୍ବ ନେଇ ବିଚାର କରାଯାଉଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚାରା ଲଗାଇବା ଅପେକ୍ଷା ବଡ଼ ଗଛ ବଞ୍ଚାଇବା ଜରୁରୀ ଗୋଟିଏ ଚାରା ରୋପଣ କରି ତାହାକୁ ବିଶାଳ ବୃକ୍ଷରେ ପରିଣତ କରିବାକୁ ବର୍ଷ ବର୍ଷ ସମୟଲାଗେ। ତେଣୁ ନୂଆ ଗଛ ଲଗାଇବା ସହ ପୂର୍ବରୁ ରହିଥୁବା ବିଶାଳ ବୃକ୍ଷଗୁଡ଼ିକର ସୁରକ୍ଷାକୁ ସରକାର ଓ ବନ ବିଭାଗ ପ୍ରାଥମିକତା ଦେବା ଆବଶ୍ୟକ। ଗଛ କାଟିବାକୁ ଅନୁମତି ଦିଆଗଲା କାହିଁକି ? କେଉଁ ନିୟମରେ ଦିଆଗଲା ? କାହା ସ୍ୱାର୍ଥରେ ଦିଆଗଲା ? ଏହାର ଉତ୍ତର ଏବେ ଗଜପତିବାସୀ ଚାହୁଁଛନ୍ତି । ଗୋଟିଏ ବଡ଼ ଗଛ କାଟିବାକୁ କିଛି ମିନିଟ୍ ଯଥେଷ୍ଟ; କିନ୍ତୁ ସେହି ଗଛ ଭଳି ବିଶାଳ ବୃକ୍ଷ ତିଆରି ହେବାକୁ ଲାଗେ ଦଶନ୍ଧି। ତେବେ ନୂଆ ଗଛ ଲଗାଇବାର ଅଭିଯାନ ମଧ୍ୟରେ ଥିବା ବିଶାଳ ଗଛଗୁଡ଼ିକୁ ସୁରକ୍ଷା ଦେବ କିଏ ? ।
Sign in
Sign in
Recover your password.
A password will be e-mailed to you.
Comments are closed.