ଅଣ୍ଢରା ମଦ ଦୋକାନ ବନ୍ଦ !ଚୋରା ମଦ ବେପାରୀ ସକ୍ରିୟ ! ଅବକାରୀ ଓ ପୁଲିସ ବିଭାଗ ନିଷ୍କ୍ରିୟ
ପଟ୍ଟାମୁଣ୍ଡାଇ ୧୨/୭: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ଜନସାଧାରଣ ବିଶେଷ କରି ମହିଳାମାନଙ୍କ ବିରୋଧ ଓ ଆନ୍ଦୋଳନ ପରେ ଅଣ୍ଢରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଲଟେରୀ ମାଧ୍ୟମରେ ଅଣ୍ଢରା ସରକାରୀ ମଦ ଦୋକାନ ନିଲାମ ପାଇଥିଵା ନିଲାମଧାରୀ ସୁବିଧା ସ୍ଥାନ ପାଇନଥିବାରୁ ଏଜାଵତ ମଦ ଦୋକାନ ଖୋଲିପାରି ନାହିଁ ।ଏହାରି ସୁଯୋଗନେଇ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ।ବେଧଡକ ଭାବେ ଦିନଦ୍ବିପହରରେ ଚୋରା ମଦ ଚଢ଼ା ଦରରେ ବିକ୍ରୀ ହେଉଥିବାର ଅଭିଯୋଗ ହୋଇଛି।ଏ ସଂକ୍ରାନ୍ତରେ ଅବକାରୀ ଓ ପୁଲିସ ବିଭାଗ ନିଷ୍କ୍ରିୟ ମନୋଭାବ ପୋଷଣ କରୁଥିଵା ଜଣାପଡିଛି । ଏହି ବେପାରୀ ମାନେ ଧୋୟାଞ୍ଚଳର ଅମୃତମଣୋହିଁ, ଅଣ୍ଢରା ଓ ବଲୁରିଆ ପଞ୍ଚାୟତର ବିଭିନ୍ନ ସ୍ଥାନ ମାନଙ୍କରେ ତାଙ୍କର କାୟା ବିସ୍ତାର କରିଚାଲିଛନ୍ତି। କିଛିକିଛି ଜାଗାରେ କାରବାରକୁ ନେଇ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଛି। ଯାହାଫଳରେ ନିଶାସକ୍ତଙ୍କ ଦୈରାତ୍ମ୍ୟରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ପୂର୍ବରୁ ଧୋୟାଞ୍ଚଳରେ ବିଷାକ୍ତ ମଦ ପିଇ ୬ଜଣଙ୍କର ମୃତ୍ୟୁ ଘଟିଥିବା ନଜିର ରହିଛି।ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ଅଂଚଳ ଗୁଡିକରେ ସନ୍ଧ୍ୟାବେଳୁ ମଦୁଆଙ୍କ ଖଟି ଓ ଚୋରା ମଦର ଆସର ଜମୁଛି। ଏଠାରେ ସୂଚନା ଯୋଗ୍ୟ ଯେ ଅତୀତରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଚୋରାମଦ ପିଇ ୬ ଜଣ ଯୁବକ ମୃତ୍ୟୁବରଣ କରିଥିବାରୁ ନଜିର ରହିଛି । ଏହାସତ୍ତ୍ୱେ ଅବକାରୀ ଓ ପୁଲିସ ବିଭାଗ ଆଖି ବୁଜି ଦେଇ ନୀରବ ଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ଅବକାରୀ ତଥା ପୁଲିସ ବିଭାଗର ଉଚ୍ଚ କତୃପକ୍ଷ ଅବିଳମ୍ବେ ଦୃଷ୍ଟି ଦେଇ ଚୋରା ମଦ କାରବାର ବନ୍ଦ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଧୋୟାଞ୍ଚଳ ବାସୀ ଦାବୀ କରିଛନ୍ତି I