ଭୁବନେଶ୍ୱର, ସେପ୍ଟେମ୍ବର ୫ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଏବଂ SAFE Indiaର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ‘ସଡ଼କ ସୁରକ୍ଷା ଓ ଯୁବପିଢ଼ିର ଭୂମିକା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅଧିକ ସଚେତନ କରିବା ସହ ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରିବାରେ ସହାୟକ ହେବ।
ସମାଜବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼ା ସଡ଼କ ଦୁର୍ଘଟଣାକୁ ପ୍ରତିରୋଧଯୋଗ୍ୟ ସାମାଜିକ ସମସ୍ୟା ଭାବେ ଦେଖିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଯୁବପିଢ଼ି ସଡ଼କରେ ଦାୟିତ୍ୱଶୀଳ ଆଚରଣ ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ସ୍ୱାତୀ ମିଶ୍ର ହେଲମେଟ୍ ବ୍ୟବହାର, ପଥଚାରୀଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଶା ସରକାରଙ୍କ ସିଭିଲ୍ ଡିଫେନ୍ସ କଣ୍ଟ୍ରୋଲର ଶ୍ରୀ ସାମ୍ୟରଞ୍ଜନ ପ୍ରଧାନ ଏବଂ ସଡ଼କ ସୁରକ୍ଷା ବିଶେଷଜ୍ଞ ଶ୍ରୀ ଦିଲ୍ଲୀପ ପଣ୍ଡା ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ସହ ‘ଗୁଡ୍ ସାମାରିଟାନ୍’ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ଦୁର୍ବିପାକ ପରିଚାଳନା ବିଶେଷଜ୍ଞ ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର ସିଭିଲ୍ ଡିଫେନ୍ସ ଟିମ୍ର ସଦସ୍ୟମାନଙ୍କ ସହ ମିଶି ପ୍ରାଥମିକ ଚିକିତ୍ସା, ‘ଗୋଲ୍ଡେନ୍ ଆୱାର’ରେ ତ୍ୱରିତ ପଦକ୍ଷେପ ଏବଂ ଜରୁରୀକାଳୀନ ସହାୟତା ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଶେଷରେ ଏକ ମୁକ୍ତ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ସମାଜବିଜ୍ଞାନ ବିଭାଗର ଡ. ଦିନବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.